“ରଙ୍ଗ ବରଷେ” ହୋଲି ସ୍ପେଶାଲ…

ଆଉ ମାତ୍ର କେଇଟା ଦିନ ପରେ ଆସିବ ହୋଲି । ଯାହାକୁ ସମସ୍ତଙ୍କ ମନରେ ରହିଛି ଆକାଂକ୍ଷା । ରଙ୍ଗର ପର୍ବ ହୋଲି । ଏହା ଏକ ନିଆରା ପର୍ବ । ଭାରତୀୟ ମାନଙ୍କର ପର୍ବ ଯୋଗୁଁ ଲୋକଙ୍କ ମଧ୍ୟରେ ଭଲ ପାଇବା ଆଉ ଏକ ପାଦ ବଢ଼ିଥାଏ । ହୋଲିକୁ ନେଇ ଛୋଟ ଠାରୁ ଆରମ୍ଭ କରି ବଡଙ୍କ ମନରେ ଥାଏ ବେଶ୍ ଆନନ୍ଦ । ଏହି ଦିନ ସମସ୍ତେ ବିଭିନ୍ନ ଫଗୁ, ରଙ୍ଗରେ ହୋଲି ଖେଳିଥାନ୍ତି । ସମସ୍ତଙ୍କୁ ରଙ୍ଗ ଲଗାଇ ମନରେ ଏକ ନୂତନ ଆନନ୍ଦର ଲହରୀ ଦେଖାଯାଇଥାଏ  ।

କେବେ ହୁଏ ହୋଲି…
ହୋଲି ଓଡ଼ିଆ ମାସର ଫାଲଗୁନ ମାସ ପୂର୍ଣ୍ଣିମା ଦିନ ସମସ୍ତେ ବେଶ୍ ଧୁମ୍ଧାମରେ ପାଳନ କରିଥାନ୍ତି । ଏହି ଦିନଠାରୁ ବସନ୍ତ ଋତୁର ଆଗମନ ହୋଇଥାଏ ବୋଲି କୁହାଯାଏ । ବସନ୍ତ ଋତୁର ଆଗମନକୁ ଖୁସିର ସହ ସ୍ୱାଗତ କରିବା ପାଇଁ ଏହି ପର୍ବ ପାଳନ କରାଯାଏ ବୋଲି କିଛି ଲୋକଙ୍କର ବିଶ୍ୱାସ ରହିଛି ।

 

ହୋଲି ପାଳନ କରିବାର କାହାଣୀ…
ହୋଲିକୁ ନେଇ ଧାର୍ମିକ କାହାଣୀ ରହିଛି । କୁହାଯାଏ ଯେ, ହିରଣ୍ୟକଶ୍ୟପ ନାମକ ଜଣେ ରାଜା ଥିଲେ । ଯେ କି ନିଜକୁ ଦୁନିଆର ସବୁଠାରୁ ବଳବାନ ବୋଲି ଭାବୁଥିଲେ । ଭଗବାନ ବିଷ୍ଣୁଙ୍କ ନାମ ଶୁଣିରେ ସେ ଖୁବ୍ ଜୋରରେ ରାଗୁଥିଲେ । ଯେ ତାଙ୍କର ପୂଜାର୍ଚ୍ଚନା କରେ ତାଙ୍କୁ ସେ ଦଣ୍ଡିତ କରିଥାନ୍ତି । ସେ ବିଷ୍ଣୁଙ୍କୁ ଘୃଣା କରୁଥିବାବେଳେ ତାଙ୍କର ଏକ ମାତ୍ର ପୁତ୍ର ପ୍ରହ୍ଲାଦ ତାଙ୍କର ପରମ ଭକ୍ତ ଥିଲେ । ପ୍ରହ୍ଲାଦ ନିଜର ଜୀବନକୁ ଭଗବାନ ବିଷ୍ଣୁଙ୍କ ପାଦତଳେ ସମର୍ପଣ କରିଦେଇଥିଲେ । ଯାହାକୁ ନେଇ ହିରଣ୍ୟକଶ୍ୟପ
ଖୁବ୍ ଜୋରରେ ରାଗୁଥିଲେ । ପୁତ୍ର ମନରେ ତାଙ୍କ ପାଇଁ ଡର ଜାତ କରିବା ପାଇଁ ଚେଷ୍ଟା କଲେ ବି ବିଫଳ ହେଉଥିଲେ । ପ୍ରହ୍ଲାଦ ଜାଣିଥିଲେ କି ଭଗବାନ ବିଷ୍ଣୁ ତାଙ୍କର ସବୁବେଳେ ସହାୟତା କରିବେ । ଏହାକୁ ନେଇ ହିରଣ୍ୟକଶ୍ୟପ ଚିନ୍ତାରେ ରହୁଥିଲେ । ଦିନେ ପ୍ରହ୍ଲାଦଙ୍କ ମନରେ ଡର ଜାତ କରିବା ପାଇଁ ହିରଣ୍ୟକଶ୍ୟପ ଏକ ଯୋଜନା କରିଥିଲେ । ହିରଣ୍ୟକଣ୍ୟପଙ୍କର ଜଣେ ହୋଲିକା ନାମକ ଭଉଣୀ ଥିଲେ ।

ସେ ଅଗ୍ନିରେ ବିଜୟ ଲାଭ କରିଥିଲେ ଅର୍ଥାତ୍ ତାଙ୍କୁ କେବେ ଅଗ୍ନି ସ୍ପର୍ଶ କରିପାରିବ ନାହିଁ ବୋଲି ସେ ଭଗବାନଙ୍କଠାରୁ ବରଦାନ ପାଇଥିଲେ । ତେବେ ଏହାର ଲାଭ ଉଠାଇ ହିରଣ୍ୟକଶ୍ୟପ ହୋଲିକାଙ୍କୁ ଡାକି ପ୍ରହ୍ଲାଦଙ୍କ ମନରେ ଡର ଜାତ କରିବା ପାଇଁ ଉପାୟ ଚିନ୍ତା କଲେ । ହୋଲିକା ପୁତୁରା ପ୍ରହ୍ଲାଦକୁ ନେଇ ନିଆଁ ଜଳୁଥିବା ଏକ ବେଦୀରେ ବସିଗଲେ । ଏହାପରେ ପ୍ରହ୍ଲାଦ ନିଜ ଭଗବାନଙ୍କୁ ସ୍ମରଣ କରିବାରେ ଲାଗିଲେ । ଯଦି ହୋଲିକା ନିଜ ଅଲୌକିକ ଶକ୍ତିର ଅପବ୍ୟବହାର କରିବ, ତେବେ ତାହାଙ୍କଠାରୁ ସେହି ଶକ୍ତି ଲୋପ ହୋଇଯିବ । ତେବେ ପରବର୍ତି ମୁହୂର୍ତରେ ସେଭଳି କିଛି ଘଟିଲା । ହୋଲିକା ନିଜ ଶକ୍ତିର ଅପବ୍ୟବହାର କରିବା ଯୋଗୁଁ ନିଆଁ ବେଦୀରେ ନିଜେ ଜଳିଯାଇଥିଲେ । ମାତ୍ର ପ୍ରହ୍ଲାଦଙ୍କର କୌଣସି କ୍ଷତି ହୋଇ ନ ଥିଲା । ଭଗବାନ ବିଷ୍ଣୁଙ୍କ ଭକ୍ତିରେ ଲୀନ ହୋଇଥିବାରୁ ତାଙ୍କର ଅଗ୍ନିରେ କିଛି ହୋଇ ନ ଥିଲା । ବହୁଦିନ ଧରି ହୋଲିକାର କାର୍ଯ୍ୟକଳାପକୁ ନେଇ ସମସ୍ତେ ଚିନ୍ତାରେ ଥିଲେ । ତେବେ ହୋଲିକାର ମୃତ୍ୟୁ ହୋଇଯିବାରୁ ଲୋକମାନେ ସେହି ଦିନ ଖୁସିରେ ଏକ ପର୍ବ ପାଳନ କରିଥିଲେ, ଯାହା ହୋଲି ନାମରେ ନାମିତ । ସେହିଦିନଠାରୁ ଆଜିଯାଏଁ ଏହି ପର୍ବ କ୍ରମାଗତ ଭାବେ ଚାଲିଆସିଛି ।

କେଉଁଠାରେ ଓ କିଭଳି ହୁଏ ହୋଲି….
ଏହି ପର୍ବ ଦେଶବ୍ୟାପି ପାଳନ କରାଯାଏ ।
ଉତରଭାରତରେ ଏହାକୁ ବେଶ୍ ଧୁମ୍ଧାମରେ ପାଳନ କରାଯାଏ । ହୋଲି ପର୍ବ ବିଶେଷକରି ମଥୁରା, ବୃନ୍ଦାବନରେ ବେଶ୍ ଆନନ୍ଦର ସହ ହୋଇଥାଏ । ଏହି ପର୍ବ ବହୁଦିନ ଧରି ଏଠାରେ ଚାଲିଥାଏ । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ଭିଡ ଜମିଥାଏ । ହୋଲିଦିନରେ ଉତରଭାରତର କିଛିସ୍ଥାନରେ ପୁରୁଷ ମାନେ ମହିଳାଙ୍କ ଉପରେ ରଙ୍ଗ ପକାନ୍ତି । ଏହାପରେ ମହିଳାମାନେ ତାଙ୍କୁ ବାଡିରେ ବାଡେଇବାର ପରମ୍ପରା ରହିଛି । ଯାହାକୁ ଦେଖିବା ପାଇଁ ଲୋକଙ୍କର ଭିଡ ଜମେ । ଆଉ କିଛିସ୍ଥାନରେ ଫୁଲରେ ହୋଲି ଖେଳାଯାଇଥାଏ ।
ମଧ୍ୟଭାରତ ଏବଂ ମହାରାଷ୍ଟ୍ରରେ ରଙ୍ଗ ନେଇ ଘର ଘର ବୁଲି ସେମାନଙ୍କ ଦେହରେ ରଙ୍ଗ ଲଗାନ୍ତି । ଆଉ କିଛି ସ୍ଥାନରେ ନାଚ, ଗୀତର ମଧ୍ୟ ଆୟୋଜନ କରାଯାଇଥାଏ । ଏହି ଅଂଚଳରେ ଦୀର୍ଘ ୧୫ଦିନ ଯାଏଁ ଏହି ଉତ୍ସବ ଚାଲିଥାଏ । ଏହି ଦିନଗୁଡିକରେ ଘରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତ୍ୁତ ହୋଇଥାଏ ।

ହୋଲିରେ କିଭଳି ରହିବେ ସାବଧାନ…..
-ଆଜିକାଲି ରଙ୍ଗରେ ବିଭିନ୍ନ କେମିକାଲ ମିଶାଯାଇଥାଏ, ଯାହା ଶରୀର ପାଇଁ କ୍ଷତିକାରକ । ସେଥିପାଇଁ କେବଳ ଫଗୁରେ ରଙ୍ଗ ଖେଳିବା ଉଚିତ୍ ।
-ହୋଲି ଦିନ ଭାଙ୍ଗର ମଧ୍ୟ ବ୍ୟବସ୍ଥା କରାଯାଇଥାଏ । ଭାଙ୍ଗରେ ଏବେ ବିଭିନ୍ନ ପ୍ରକାରର ନିଶା ମିଶ୍ରଣ କରାଯାଉଛି । ଏଥିପାଇଁ ଏହିଦିନ ଏଥିରୁ ଦୂରେଇ ରୁହନ୍ତୁ ।
-ଅନ୍ୟଜଣଙ୍କୁ ରଙ୍ଗ ଲଗାଇବା ପୂର୍ବରୁ ତାର ଅନୁମତି ନେଇ ରଙ୍ଗ ଲଗାନ୍ତୁ । କାରଣ ଜୋରଜବରଦସ୍ତ ରଙ୍ଗ ଲଗାଇବା ଫଳରେ ରଙ୍ଗ ଆଖି, କାନ ଓ ପାଟି ଭିତରେ ପଶିଯିବାର ସମ୍ଭାବନା ଥାଏ । ତେଣୁ ଏଭଳି ନ କରିବା ଉଚିତ୍ ।
– ରଙ୍ଗ ଖେଳିବା ପୂର୍ବରୁ ମୁଣ୍ଡ, ମୁହଁ ଓ ଶରୀରରେ ତେଲ ଲଗାଇ ନିଅନ୍ତୁ, ଫଳରେ ରଙ୍ଗ ଧୋଇଲା ବେଳେ ସହଜରେ ଛାଡିଯିବ ।
-ହର୍ବାଲ ରଙ୍ଗକୁ ହୋଲିରେ ବ୍ୟବହାର କରନ୍ତୁ । ଏହାଦ୍ୱାରା ଶରୀରରେ କୌଣସି କ୍ଷତି ହେବ ନାହିଁ । ହର୍ବାଲ ରଙ୍ଗ ମାର୍କେଟରୁ ନ କିଣି ମଧ୍ୟ ଆପଣ ଘରେ କମ୍ ମୂଲ୍ୟରେ ପ୍ରସ୍ତୁତ କରିପାରିବେ ।

Spread the love