ରୋଗୀଙ୍କ ଚିକିତ୍ସା ବେଳେ ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ, ଭୟରେ ଅଛନ୍ତି ରୋଗୀ ଓ ସଂପର୍କୀୟ
ବାଙ୍କୀ: ବିପଦ ପୂର୍ଣ୍ଣ ଛାତ ତଳେ ଚାଲିଛି ସ୍ବାସ୍ଥ୍ୟ ସେବା । ଡାକ୍ତରଖାନାରେ ଡାକ୍ତର ଚିକିତ୍ସା କରୁଥିବା ବେଳେ ଉପରୁ ଖସୁଛି ସିମେଣ୍ଟ ଖଣ୍ଡ । କେତେବେଳେ ରୋଗୀଙ୍କ ଉପରେ ପଡୁଛି ତ କେତେବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ପଡୁଛି । ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା ସାଙ୍ଘାତିକ । ଯାହାକୁ ଦେଖିଲେ ଡାକ୍ତରଖାନାକୁ ଆସିବାକୁ ଭୟ କରୁଛନ୍ତି ରୋଗୀ ଓ ସଂପର୍କୀୟ । ଡାକ୍ତରଖାନାର ସମସ୍ତ କୋଠରୀରୁ ଖସୁଛି ସିମେଣ୍ଟ ଖଣ୍ଡ । ନୂଆ କୋଠା ଘର ନ ଥିବାରୁ ବାଧ୍ୟ ହୋଇ ପୁରୁଣା ଡାକ୍ତରଖାନାରେ ଚିକିତ୍ସା କରୁଛନ୍ତି ଡାକ୍ତରମାନେ ।
କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବୈଦେଶ୍ବର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖାଯାଇଛି ଏଭଳି ସ୍ଥିତି । ୧୯୮୨ ମସିହାରେ କାର୍ଯ୍ୟକ୍ଷମ ହେଲା ପରେ ଏକ ଚାଳ ଘରେ ଆରମ୍ଭ ହୋଇଥଲା ସ୍ବାସ୍ଥ୍ୟ ସେବା । ପରେ ୧୯୮୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ନୂତନ ଡାକ୍ତରଖାନା ଉଦଘାଟନ ହୋଇଥିଲା। ହେଲେ ଏବେ ସବୁ କୋଠରୀର ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ । ଲୋକେ ଉପରୁ ସିମେଣ୍ଟ ଖଣ୍ଡ ଖସିବା ଦେଖି ଭୟ କରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଛାତର ଗ୍ରିଡ଼ିଂ କରାଯାଇଥିଲେ ବି ସବୁ ବେଳେ ଛାତରୁ ପାଣି ଗଳୁଛି । କାନ୍ଥରୁ ସିମେଣ୍ଟ ପ୍ଲାଷ୍ଟରିଂ ଛାଡ଼ିଲାଣି ।
ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି ପାଞ୍ଚଟି ଗ୍ରାମ ପଞ୍ଚାୟତର ୧୨ ଗୋଟି ରାଜସ୍ବ ଗାଁର ଲୋକେ। ହେଲେ ନାହାନ୍ତି ସ୍ଥାୟୀ ଡାକ୍ତର । ଆୟୁଷ ଡାକ୍ତରଙ୍କ ଦ୍ଵାରା ଚାଲିଛି ସ୍ବାସ୍ଥ୍ୟ ସେବା । ଡାକ୍ତରମାନେ ବସୁଥିବା କୋଠରୀ ସହିତ ପରୀକ୍ଷାଗାରର ଛାତରୁ ସିମେଣ୍ଟ ଖସିବାରୁ ବାହାରେ ଚାଲିଛି ପରୀକ୍ଷା । ଭୟରେ ଅଛନ୍ତି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ।
ଡାକ୍ତର ରହିବାକୁ ନାହିଁ ବାସଗୃହ । ଯେଉଁ ବାସଗୃହ ନିର୍ମାଣ ହୋଇ ରହିଛି । ତାହା ଏବେ ସରୀସୃପଙ୍କ ଆଡା ସ୍ଥଳୀ ପାଲଟିଛି । ପାଚେରୀ ନଥିବାରୁ ଡାକ୍ତରମାନେ ଏଠାରେ ରହୁ ନାହାନ୍ତି । ଡାକ୍ତରଖାନା ପରିସରକୁ ଅବାଧରେ ପ୍ରବେଶ କରୁଛନ୍ତି ଜବର ଦଖଲକାରୀ । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲୋକେ ଅଭିଯୋଗ କରିବା ପରେ ଏହି ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆ ଯାଇଛି । ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ଭଙ୍ଗା ଦଦରା ଛାତ ତଳେ ଚିକିତ୍ସା କରା ନଯାଇ ସୁରକ୍ଷିତ ଥିବା କୋଠା ଘରେ ଚିକିତ୍ସା କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ ।
