ଲକ୍ଷ୍ମୀପୂଜା ପାଇଁ ଜମୁଛି ଅନୁଗୁଳ ସହର, ୩୦ଟି ମଣ୍ଡପରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା

ଅନୁଗୁଳ: ଝଲସିଲାଣି ଅନୁଗୁଳ । ଜମୁଛି ଅନୁଗୁଳ ସହରର ଲକ୍ଷ୍ମୀପୂଜା । ମହାଆଡ଼ମ୍ବରରେ ଚାଲିଛି ଧନଦାତ୍ରୀଙ୍କୁ ଆବାହନ । ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ଲକ୍ଷ୍ମୀ । ଅନୁଗୁଳର ପ୍ରାୟ ୩୦ ଟି ମଣ୍ଡପରେ ମାଅଙ୍କ ପୂଜାର୍ଚ୍ଚନା ଚାଲିଛି । ଚଳିତବର୍ଷ ଭିନ୍ନ ଭିନ୍ନ ଢଙ୍ଗରେ ମା’ଙ୍କ ମୂର୍ତ୍ତି ନିର୍ମାଣ ସହ ତୋରଣଗୁଡ଼ିକ ମଧ୍ୟ ବିଭିନ୍ନ ଥିମ୍ ରେ ତିଆରି କରାଯାଇଛି । ସର୍ବପୁରାତନ ଶ୍ରୀ ଶ୍ରୀଲକ୍ଷ୍ମୀ ନାରାୟଣ ପୂଜା କମିଟି ପକ୍ଷରୁ ମାଆଙ୍କ ମୂର୍ତ୍ତି ତାଳପତ୍ରରେ ନିର୍ମାଣ କରାଯାଇଛି । ଆଭ୍ୟନ୍ତରୀଣ ସାଜସଜ୍ଜା ବୃକ୍ଷର ବକଳ ଦ୍ବାରା କରାଯାଇଛି ।

ସେପଟେ ସହରର କଲେଜ ଛକରେ ଏଥର ବିରାଟ ଶ୍ରୀମନ୍ଦିର ଆକୃତିର ତୋରଣ ନିର୍ମାଣ ହୋଇଛି । ପୂଜା ମଣ୍ଡପ ସମ୍ମୁଖରେ ତିନି ଠାକୁରଙ୍କ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ନିର୍ମିତ କରାଯାଇଛି । ପାଖରୁ ଦେଖିଲେ ଏହା ଶ୍ରୀମନ୍ଦିର ପରି ଦେଖାଯାଉଥିବାରୁ ଏହା ଶ୍ରଦ୍ଧାଳୁଙ୍କ ଉତ୍ସାହର କେନ୍ଦ୍ରବିନ୍ଦୁ ପାଲଟିଛି । ସେହିପରି ହରିମହୁରୀ ଛକ, କଳିଙ୍ଗ ମାର୍କେଟ, ଦୁଲୁରିସିଂହା, ଗାନ୍ଧୀମାର୍ଗ, ହେମସୁରପଡ଼ା, ଅମଲାପଡ଼ା, ଶିକ୍ଷକପଡ଼ା, କଲେଜ ଛକ, ଡିଆଇସି ଛକ, ଶିମିଳିପଡ଼ା, ମିଶ୍ରପଡ଼ା, ଉତ୍କୋ ଛକ ସମେତ ବିଭିନ୍ନ ସ୍ଥାନରେ ଧନଦାତ୍ରୀଙ୍କ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Spread the love