ଲତାଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ପଶ୍ଚିମବଙ୍ଗର ସ୍ବତନ୍ତ୍ର ଯୋଜନା; ଜାଣନ୍ତୁ କଣ କହିଲେ ମମତା ?

କୋଲକାତା ୦୬/୦୨ : ଭାରତର କୋକିଳକଣ୍ଠି ଲତା ମଙ୍ଗେସକରଙ୍କ ଦେହାନ୍ତରେ ସାରା ଭାରତ ମ୍ରିୟମାଣ ଥିବା ବେଳେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ପଶ୍ଚିମବଙ୍ଗ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ରାଜ୍ୟରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ ଓ ଟ୍ରାଫିକ ପୋଷ୍ଟରେ ଲତା ମଙ୍ଗେସକରଙ୍କ ସଙ୍ଗୀତ ପରିବେଷଣ କରାଯିବ।   ଏହା ସହିତ ଫେବୃଆରୀ ୭ରେ ଅଧା ଛୁଟି ରହିବ ବୋଲି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ।

ଲତା ମଙ୍ଗେସକରଙ୍କ ମୁମ୍ବାଇର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଛି। ସେ କରୋନା ଓ ନିମୋନିଆରେ ପୀଡ଼ିତ ହୋଇଥିଲେ । ସେ ୨୦୨୨ ଜାନୁଆରୀ ୦୮ ତାରିଖରେ ବ୍ରିଚ କ୍ୟାଣ୍ଡି ହସପିଟାଲରେ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଡାକ୍ତର ପ୍ରତୀତ ସାମଦାନୀ ଲତାଙ୍କ ଚିକିତ୍ସା ଦାୟିତ୍ୱରେ ଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲତାଙ୍କ ନିଧନରେ ରବିବାର ସକାଳେ ଶୋକ ବ୍ୟକ୍ତ କରି କହିଛନ୍ତି “ଲତାଜୀଙ୍କ ନିଧନ ମୋ ପାଇଁ ଓ ସାରା ଦୁନିଆର ଲକ୍ଷାଧିକ ଲୋକଙ୍କପାଇଁ ହୃଦୟ ବିଦାରକ ଘଟଣା”। ରାଷ୍ଟ୍ରପତି ଭବନରେ କୋବିନ୍ଦ ଟୁଇଟ କରି କହିଛନ୍ତି “ଲତା ଦିଦିଙ୍କ ଭଳି କଳାକାର ଶତାବ୍ଦିରେ ଥରେ ଜନ୍ମ ନିଅନ୍ତି । ସେ ଜଣେ ଅସାଧାରଣ ବ୍ୟକ୍ତି ଓ ଉଚ୍ଚ କୋଟିର ବ୍ୟବହାରର ଅଧିକାରିଣୀ ଥିଲେ”। ସେ କହିଛନ୍ତି ତାଙ୍କ ଦିବ୍ୟ ସ୍ୱର ସବୁବେଳେ ପାଇଁ ବନ୍ଦ ହୋଇଯାଇଛି କିନ୍ତୁ ସେ ଗାଇଥିବା ଗୀତ ସବୁବେଳେ ପାଇଁ ଅମର ହୋଇ ରହିବାସହ ସଦାକାଳ ପାଇଁ ଗୁଞ୍ଜରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବର କୋକିଳା ଭାରତ ରତ୍ନ ଗାୟିକା ଲତା ମଙ୍ଗେସକରଙ୍କ ପରଲୋକରେ ରବିବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି “ଲତାଙ୍କ ଭଳି ଆତ୍ମା ମାନବାତାର ଶତାବ୍ଦିରେ କେବେ କେବେ ବରଦାନ ସଦୃଶ୍ୟ  ମିଳିଥାନ୍ତି ଓ ତାଙ୍କ ନିଧନ ଏକ ଅପୁରଣୀୟ କ୍ଷତି” । ମୋଦି ମଥୁରା, ବୁଲନ୍ଦ ସହର, ଓ ଆଗ୍ରାର ବିଭିନ୍ନ ବିଧାନସଭା କ୍ଷେତ୍ରର ଆଶାୟି ପ୍ରାର୍ଥୀଙ୍କ ସମର୍ଥନ ପାଇଁ ଆୟୋଜିତ ହୋଇଥିବା ‘ଜନ ଚୌପାଲ’ରେ ନିଜ ଭର୍ଚୁଆଲ ସମ୍ବୋଧନ କରିବା ସମୟରେ ଆରମ୍ଭରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଲତା ଦିଦି ଆଜି ବ୍ରହ୍ମଲୋକ ଯାତ୍ରା କରିଛନ୍ତି ।

Spread the love