ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଜାରିହେଲା ୫ ସୂତ୍ରୀ ଗାଇଡଲାଇନ

ପୁରୀ : ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଜାରିହେଲା ନୂଆ ଗାଇଡଲାଇନ । ୫ ସୂତ୍ରୀ ଗାଇଡଲାଇନ ଜାରିକଲା ଶ୍ରୀମନ୍ଦିର ପ୍ରଶାସନ । ଡ୍ଯୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ ।  ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ ।  ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଜାନୁଆରୀ ୩୧ ତାରିଖ ସୁଦ୍ଧା ୨୦୨୪ ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ । ଏହା ଦାଖଲ ନକଲେ କୌଣସି Increment, ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ ।

ସେହିପରି ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ ।  ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହା ଲାଗୁ ହେବ ନାହିଁ । ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ତଥା ଉତ୍ତରଦାୟୀ କରିବାକୁ ଏହି ପରାମର୍ଶ ତଥା ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି ।

Spread the love