ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି; ଜୋତା ପିନ୍ଧି ମନ୍ଦିର ଭିତରକୁ ପଶିଗଲେ ଭକ୍ତ
ପୁରୀ : ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ପଦାକୁ ଆସିଛି । ଜଣେ ମହିଳା ଭକ୍ତ ଜୋତା ପିନ୍ଧି ମନ୍ଦିର ଭିତରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡା କରିଥିବା ବେଳେ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜୋତା ପିନ୍ଧି ମନ୍ଦିରକୁ ଯାଇଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ସୂଚନା ଅନୁଯାୟୀ, ଶନିବାର ସକାଳେ ଜଣେ ପ୍ରତିହାରୀ ସେବକ ଶ୍ରୀମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆସିଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ଜଣେ ଶ୍ରଦ୍ଧାଳୁ ଜୋତା ପିନ୍ଧି ମନ୍ଦିରକୁ ପ୍ରବେଶ କରିଥିଲେ । ସେହି ଜୋତା ଭଅଣ୍ଡ ଘର ବା ଭୋଗମଣ୍ଡପ ଦ୍ୱାର ନିକଟରେ ରଖାଯାଇଥିବା ସେ ଦେଖିବାକୁ ପାଇଥିଲେ । ସେଠାରେ ଜୋତା ରହିଥିବା ଦେଖିବା ମାତ୍ରେ ହାତରେ ଧରି ବାହାରକୁ ଆଣିଛନ୍ତି । ସେ ସିଂହଦ୍ୱାରରେ ଥିବାବେଳେ ଜଣେ ମହିଳା ଶ୍ରଦ୍ଧାଳୁ ତାଙ୍କ ପଛେ ପଛେ ଆସି ପହଞ୍ଚିଥିଲେ । ଏହି ଜୋତାଟି ତାଙ୍କ ନାନୀଙ୍କର ବୋଲି କହିଥିଲେ । ଗୁଜୁରାଟରୁ ଆସିଥିବା ଏହି ଭକ୍ତଙ୍କର ଗୋଡ ଅପରେଶନ ହୋଇଛି । ସେ ଚାଲିବାକୁ ସକ୍ଷମ ନୁହଁନ୍ତି । ତେଣୁ ସମ୍ପର୍କୀୟମାନେ ତାଙ୍କୁ ହ୍ୱିଲ୍ଚେୟାରରେ ଆଣି ପତିତପାବନଙ୍କ ଦର୍ଶନ କରାଇଥିଲେ । ପରେ ସମ୍ପର୍କୀୟଙ୍କ ସହଯୋଗରେ ସେ ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେବେ ସିଂହଦ୍ୱାରରେ ମାଳ ମାଳ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । ଏହି ସୁରକ୍ଷା ବଳୟ ଭେଦ କରି ସେ କିପରି ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କଲେ ଏବଂ କେହି ଜାଣିପାରିଲେ ନାହିଁ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
