ସକାଳୁ ଲାଗି ରହିଛି ବର୍ଷା, ବଢୁଛି ବନ୍ୟା ପ୍ରଭାବିତଙ୍କ ଦୁର୍ଦ୍ଦଶା

ଜଳେଶ୍ୱର: ସୁବର୍ଣ୍ଣରେଖା ବନ୍ୟାରେ ଉବୁଡୁବୁ ଉତ୍ତର ବାଲେଶ୍ୱର । ନଦୀର ଜଳସ୍ତର କମିଛି, ମାତ୍ର ବନ୍ୟା ପ୍ରଭାବିତଙ୍କ ଦୁର୍ଦ୍ଦଶା ବଢିଛି । ନଦୀର ଜଳସ୍ତର ହ୍ରାସ ପାଇ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ହ୍ରାସ ପାଇ ୯.୪୦ ମିଟରରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ନଦୀର ବନ୍ୟା ଆସିବା ଫଳରେ ଉତ୍ତର ବାଲେଶ୍ୱରର ୪ଟି ବ୍ଲକର ୨୧ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲିଆପାଳ ଏବଂ ଭୋଗରାଇ ବ୍ଲକ୍ ।

ଗାଁ ଦାଣ୍ତରେ ୩ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ କୌଣସି ସହାୟତା ମିଳିନଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ୪ଫୁଟ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାତାୟତ କରୁଛନ୍ତି । ହଜାର ହଜାର ହେକ୍ଟର ପନିପରିବା ଚାଷ ବନ୍ୟା ପାଣିରେ ବୁଡି ରହିଛି । ଘରେ ବନ୍ୟା ପାଣି ପଶିଥିବାରୁ ନଦୀ ବନ୍ଧ ଏବଂ ରାସ୍ତା ଉପରେ ବିପନ୍ନଙ୍କ ପରିବାର ଆଶ୍ରୟ ନେଇଛନ୍ତି । ବନ୍ୟା ଆସିବା ପୂର୍ବରୁ ଲୋକ ମାନଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇ ନଥିବାରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ସୁବର୍ଣ୍ଣରେଖା ନଦୀ ଅବବାହିକାରେ ହଜାର ହଜାର ହେକ୍ଟର ଜମିରେ ହୋଇଥିବା ପନିପରିବା ଚାଷ ବନ୍ୟା ପାଣିରେ ବୁଡି ରହିଛି । ଯାହା ଫଳରେ ଚାଷୀ ମାନଙ୍କ ମୁଣ୍ତରେ ଚଡକ ପଡିଛି । ଅଧିକାଂଶ ଲୋକଙ୍କ ଘରେ ଚୂଲି ଜଳିନି, ନଳକୂପ ଗୁଡିକ ପାଣି ରେ ବୁଡି ରହିଥିବାରୁ ପିଇବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ।

ଏପଟେ ରବିବାର ବାଲେଶ୍ୱର ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ ବାଲିଆପାଳ ବ୍ଲକ ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିବା ସହ ବନ୍ୟା ବିପନ୍ନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଆଜି ସକାଳୁ ବର୍ଷା ଲାଗି ରହିଛି । ଫଳରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି । ଅଧିକାଂଶ ଲୋକଙ୍କ ଘରେ ଚୂଲି ଜଳିନି । ପିଇବା ପାଣି ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ।

Spread the love