ସରକାର ଗଠନ ହେଉ ହେଉ ୫ ସାମ୍ବାଦିକଙ୍କୁ ଗିରଫ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ନୂଆ ଶାସନ ଆରମ୍ଭ ହେବାର ଗୋଟିଏ ଦିନ ପରେ ତାଲିବାନର କ୍ରୁରତା ପୁଣି ଥରେ ଦୁନିଆ ସାମ୍ନାକୁ ଆସିଛି । ନୂଆ ସରକାର ଗଠନ ହେବା ପରେ ବୁଧବାର କାବୁଲର ଏକ ଦୈନିକ ଖବରକାଗଜର ୫ ସାମ୍ବାଦିକଙ୍କୁ ଗିରଫ କରିଛି ତାଲିବାନ। ଏନେଇ ସୂଚନା ଦେଇଛନ୍ତି ଖୋଦ ଖବରକାଗଜ ଏଟିଲାଟ୍ରୋଜ୍‌ର ମୁଖ୍ୟ ସମ୍ପାଦକ ଜକି ଦରିୟାବୀ । ଟୋଲୋ ନ୍ୟୁଜ୍‌ ପକ୍ଷରୁ ଟ୍ବିଟ୍‌ କରି ଲେଖାଯାଇଛି, ‘କାବୁଲର ଏକ ଦୈନିକ ଖବରକାଗଜ ଏଟିଲାଟ୍ରୋଜ୍‌ର ୫ ଜଣ ସାମ୍ବାଦିକଙ୍କୁ ତାଲିବାନ ଗିରଫ କରିଛି। ଏନେଇ ଖବରକାଗଜର ମୁଖ୍ୟ ସମ୍ପାଦକ ବୁଧବାର ଦିନ କହିଛନ୍ତି।’ କାବୁଲରେ କବଜା କରିବା ପରେ ଏବଂ ସରକାର ଗଠନ ପୂର୍ବରୁ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ସାମ୍ବାଦିକଙ୍କ ଅଧିକାର ଏବଂ ଅଭିବ୍ୟକ୍ତିର ସ୍ବତନ୍ତ୍ରତାକୁ ସମ୍ମାନ କରିବ। ତେବେ ବୋଧହୁଏ ତାଲିବାନ ଆଜି ଏହି ସମ୍ମାନ ରକ୍ଷା କରିଛି।

ମିଳିତ ଜାତିସଙ୍ଘର ମାନବାଧିକାର ବିଶେଷଜ୍ଞଙ୍କ ଟିମ୍‌ ଆଫଗାନିସ୍ତାନ ସାମ୍ବାଦିକ ଏବଂ ମିଡିଆ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ଆହ୍ବାନ ଦେଇଥିଲା । ତେବେ ତାଲିବାନ ମଙ୍ଗଳବାର ଆଫଗାନିସ୍ତାନ​‌ରେ ନୂଆ ସରକାରର ଘୋଷଣା କରିଛି। ଏହି ନୂଆ ସରକାରରେ ଅନେକ କଟ୍ଟରପନ୍ଥୀ ସାମିଲ ହୋଇଛନ୍ତି । ଆଫଗାନିସ୍ତାନରେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ମୁଲ୍ଲା ଅବଦୁଲ ଘନି ଏବଂ ମୋଲବୀ ଅବଦୁଲ ସଲାମ ହନଫିଙ୍କୁ ଡେପୁଟି ପିଏମ୍‌ ଭାବେ ନିଯୁକ୍ତ କରାଯାଇଛି ।

Spread the love