ସାଲେପୁରରେ ଝାଡାବାନ୍ତି ଆତଙ୍କ: ଜଣଙ୍କ ମୃତ୍ୟୁ
ସାଲେପୁର: କଟକ ଜିଲ୍ଲା ସାଲେପୁରରେ ଝାଡାବାନ୍ତି ଆତଙ୍କ । ଜଣଙ୍କ ମୃତ୍ୟୁ ହୋଇଥିିବାବେଳେ ଏକାଧିକ ଆକ୍ରାନ୍ତ ହୋଇଛନ୍ତି । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗତକାଲି ୪ଜଣ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଜନାର୍ଦ୍ଦନପୁର ଗାଁର ସାବିତ୍ରୀ ସ୍ବାଇଁ ।
ଅନ୍ୟପଟେ ବର୍ଷା ଆରମ୍ଭରୁ ରାଜ୍ୟରେ ଡାଇରିଆ ବ୍ୟାପିବାକୁ ଆରମ୍ଭ କରିଛି । ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ବେଳକୁ ଘରେ ଅନ୍ୟମାନେ ଅସୁସ୍ଥ ହୋଇପଡ଼ୁଛନ୍ତି । ଗାଁ ଗାଁରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲାଣି । ୭ଟି ଜିଲ୍ଲାରେ ବର୍ତ୍ତମାନ ଡାଇରିଆ ବ୍ୟାପି ସାରିଲାଣି । କେବଳ ଯାଜପୁର ଜିଲ୍ଲାରେ ଗତକାଲିସୁଦ୍ଧା ସରକାରୀଭାବେ ୧୭ଶହରୁ ଅଧିକ ଆକ୍ରାନ୍ତ ହୋଇସାରିଲେଣି ।
ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଶତାଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଲାଣି । ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଡାଇରିଆ ମୁକାବିଲା କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ ଓ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ଲକ୍ଷ୍ୟ କରିବା ସହ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀ ଓ ସହାୟକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।