ସୁରଟରୁ ଫେରିଲେ ଶହ ଶହ ପ୍ରବାସୀ ଶ୍ରମିକ : ରେଡ ଜୋନରେ ଗଞ୍ଜାମ

ଭୁବନେଶ୍ୱର, ୧୦/୪: ସୁରଟ ଓ ମୁମ୍ବାଇରୁ ଫେରିଲେ ଶହ ଶହ ଓଡ଼ିଆ ପ୍ରବାସୀ ଶ୍ରମିକ। ଆଜି ପୃଥକ୍ ରେଳ ଯୋଗେ ସେମାନେ ଫେରିଛନ୍ତି। ଆଜି ଓଖା-ପୁରୀ ଏକ୍ସପ୍ରେସରେ ପ୍ରାୟ ୮୦୦ ଓ କୋଣାର୍କ ଏକ୍ସପ୍ରେସରେ ପ୍ରାୟ ୫୦୦ ଶ୍ରମିକ ବ୍ରହ୍ମପୁର ରେଳଷ୍ଟେସନରେ ଓହ୍ଲାଇଛନ୍ତି। ସୁରଟ ଫେରନ୍ତା ଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କ ଥର୍ମାଲ୍ ଟେଷ୍ଟ ନାମକୁ ମାତ୍ର ହୋଇଥିଲା। ସେମାନଙ୍କୁ ସଙ୍ଗରୋଧରେ ରଖିବାକୁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ହୋଇନଥିଲା। ଏପରିକି ଫେରନ୍ତା ଶ୍ରମିକଙ୍କୁ କେହି ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇନାହାନ୍ତି। ଆସିକାର ଜଣେ ଶ୍ରମିକ ଟୁଟୁ ସାହୁ କହିଛନ୍ତି ଯେ ସୁରଟରେ ସଂକ୍ରମଣ ବୃଦ୍ଧି ପାଇବାରୁ ଗାଁକୁ ଫେରିଛନ୍ତି। କିନ୍ତୁ ସଙ୍ଗରୋଧରେ ରହିବାକୁ ସେମାନଙ୍କ ନିକଟରେ କୌଣସି ସୂଚନା ନଥିବା କହିଛନ୍ତି। ସେ ଗାଁରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଏପରିକି ଆସିବା ପୂର୍ବରୁ ସେ କୋଭିଡ୍ ପରୀକ୍ଷା କରି ନଥିବା ସୂଚନା ଦେଇଛନ୍ତି। ହିଞ୍ଜିଳିକାଟୁର ପବିତ୍ର ପଲେଇ କହିଛନ୍ତି ଯେ ତାରାତାରିଣୀ ପୀଠରେ ପୁଅର ମୁଣ୍ଡନ ପାଇଁ ସେ ଆସିଛନ୍ତି। କାମ ସରିବା ପରେ ପୁଣି ସୁରଟ ଫେରିଯିବେ। କିନ୍ତୁ ଆସିବା ପୂର୍ବରୁ କୌଣସି କୋଭିଡ୍ ପରୀକ୍ଷା କରିବା ଆବଶ୍ୟକ ବୋଲି ଜାଣିନଥିବା କହିଛନ୍ତି। କେବଳ ଜଣେ ନୁହନ୍ତି, ଆଜି ସୁରଟରୁ ଫେରିଥିବା ବହୁ ଶ୍ରମିକ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସୁରଟରେ କରୋନା ସଂକ୍ରମଣ ଭୟାନକ ସ୍ଥିତିରେ ରହିଛି। ଦୈନିକ ଶହ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରିକି ସୁରଟରେ ରହୁଥିବା ଆସିକା ବ୍ଲକ୍ ଗଙ୍ଗାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇ ଚିିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୁରଟରେ ପ୍ରାୟ ୮ ଜଣ ଓଡ଼ିଆ ଶ୍ରମିକ କରୋନାରେ ଆକ୍ରାନ୍ତ ହୋଇ ଶେଷନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ସେମାନଙ୍କ ଶବ ସତ୍କାର ସୁରଟରେ ହୋଇଛି।

Spread the love