ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା, ଆଜିଠୁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଆଜି ଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ କୁମାର ମିଶ୍ରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କଟକ ଜେଏମଏଫସି କୋର୍ଟ ୩ ।
୧୧ ଓ ୧୨ ଦୁଇ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚୁରା କରିବ ବୋଲି ଅନୁମତି ମିଳିଛି । ଏହି ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ ଦୁଇ ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ କୋର୍ଟ।
ଏହି ଦୁଇ ଦିନରେ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରାଯିବ ବୋଲି ଜଣାପଡିଛି। ଜିତନ ମହାରଣା ହିଁ ପ୍ରଥମ ବ୍ୟକ୍ତି ଯିଏ କି ବୋର୍ଡର ଉପସଭାପତିଙ୍କ ଲାପଟପରୁ ପ୍ରଶ୍ନପତ୍ର ପେନଡ୍ରାଇଭ ଜରିଆରେ ଚୋରି କରିଥିଲା ।
ଏହି ପ୍ରଶ୍ନପତ୍ର ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ପଠାଇଥିଲା । ଏହା ବଦଳରେ ୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ପାଇଥିଲା। ତେବେ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଉ କେତେ ମନିଟ୍ରେଲ ହୋଇଛି ସେନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ।
ଜେରା ବେଳେ ଆଉ କାହା କାହା ପାଖକୁ ପ୍ରଶ୍ନପତ୍ର ପଠାଯାଇଛି ସେନେଇ ପ୍ରଶ୍ନ କରିବ କ୍ରାଇମବ୍ରାଞ୍ଚ । ବୋର୍ଡର ଆଉ କେଉଁ କେଉଁ କର୍ମଚାରୀ ଏହି ଘୋଟଲାରେ ସଂପୃକ୍ତ ସେ ନେଇ ମଧ୍ୟ ଏକାଧିକ ପ୍ରଶ୍ନ ପ୍ରସ୍ତୁତ କରି ରଖିଛି କ୍ରାଇମବ୍ରାଞ୍ଚ । ଏହି ଦୁଇ ଦିନର ରିମାଣ୍ଡରେ ଅନେକ କିଛି ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଦୁଇ ଅଭିଯୁକ୍ତ ଓଗାଳିବେ ବୋଲି ଆଶା କରାଯାଉଛି ।
