ହଷ୍ଟେଲରୁ ମଦ ପାଉଚ ମିଳିବା ପରେ ୯ ଛାତ୍ର ବହିଷ୍କୃତ

ନବରଙ୍ଗପୁର: ହଷ୍ଟେଲରୁ ମଦ ପାଉଚ ମିଳିବା ପରେ ୯ ଛାତ୍ର ବହିଷ୍କୃତ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ପିଏମଶ୍ରୀ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲରେ ହୋଇଛି କାର୍ଯ୍ୟାନୁଷ୍ଠାନ । ମଙ୍ଗଳ ବିଭାଗର ୩ ନଂ ହଷ୍ଟେଲରୁ ମଦ ପାଉଚ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପ୍ରଧାନଶିକ୍ଷକ ।  ମଦ ପାଉଚ ପଡ଼ିବା ସହ ରୁମରୁ ସିଗାରେଟ ଗନ୍ଧ ହେଉଥିବା ପ୍ରଧାନଶିକ୍ଷକ ଜାଣିବାକୁ ପାଇଥିଲେ ।

ପରେ ଏନେଇ ପ୍ରଧାନଶିକ୍ଷକ ଅଭିଭାବକଙ୍କୁ ବିଦ୍ୟାଳୟକୁ ଡକାଇ ତଦନ୍ତ କରିଥିଲେ । କିନ୍ତୁ ଛାତ୍ରମାନେ ମଦ୍ୟପାନ କରିଥିବା କିମ୍ବା ମଦ ରଖିଥିବା ନେଇ କିଛି ଜାଣିନଥିବା କହିଥିଲେ ।  ସାଦା କାଗଜରେ ଦସ୍ତଖତ ନେଇ୯ ଜଣ ଛାତ୍ରଙ୍କୁ ୭ଦିନ ପାଇଁ ବହିଷ୍କାର କରିଛନ୍ତି ।  ଏହାକୁ ନେଇ ଅଭିଭାବକ ଓ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ହଷ୍ଟେଲ ମଧ୍ୟକୁ ମଦ ପାଉଚ କିଏ ଆଣିଲା, କାହିଁକି ଆଣିଲା ଓ କେଉଁ ଉପାୟରେ ଆସିଲା, ତାର ତଦନ୍ତ ନକରି ୭ଦିନ ପାଇଁ ସ୍କୁଲରୁ ବହିଷ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି ।  ସେପଟେ ଛାତ୍ରମାନେ ବିଶୃଙ୍ଖଳା କରୁଥିବାରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ବହିଷ୍କାର କରାଯାଇଥିବା ପାପଡାହାଣ୍ଡି କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ପରିଡା କହିଛନ୍ତି ।

Spread the love