ହସିନାଙ୍କ ନିଜ ଲୋକେ ଚକ୍ରାନ୍ତ ରଚିଲେ: ପିଲବାଗାନ ନରସଂହାର ତଦନ୍ତରେ ସାକ୍ଷ୍ୟ ଦେଲେ

ଢାକା: ବାଂଲାଦେଶର କ୍ଷମତା ରାଜନୀତି ଏବେ ସରଗରମ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସବୁଠାରୁ ବିଶ୍ୱସ୍ତ ପ୍ରତିନିଧି ଭାବରେ ବିବେଚିତ ଲୋକେ ଏବେ ତାଙ୍କ ବିରୋଧରେ ଠିଆ ହୋଇଥିବା ଦେଖାଯାଉଛି। ତାହା ମଧ୍ୟ ଏପରି ସମୟରେ ଯେତେବେଳେ ଏକ ବଡ଼ ତଦନ୍ତ ପୁନଃଖୋଲିବାକୁ ଯାଉଛି।
ବାଂଲାଦେଶ ରାଜନୀତିକୁ ସରଗରମ କରିଥିବା ବିଡିଆର (ବର୍ତ୍ତମାନ ବିଜିବି) ମୁଖ୍ୟାଳୟ ପିଲବାଗାନ ନରସଂହାର ପୁଣିଥରେ ଖବର ଶିରୋନାମାରେ ରହିଛି। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ସ୍ୱାଧୀନ ତଦନ୍ତ କମିସନ(ଏନଆଇଆଇସି) ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଅନେକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ପୂର୍ବତନ ବିଡିଏର ଡିଜି ଏବଂ ବର୍ତ୍ତମାନ ତଦନ୍ତ କମିସନର ଅଧ୍ୟକ୍ଷ ମେଜର ଜେନେରାଲ (ଅବସରପ୍ରାପ୍ତ) ଏଏଲଏମ ଫଜଲୁର ରହମାନ କହିଛନ୍ତି ଯେ, ଆୱାମୀ ଲିଗ୍ ସଦସ୍ୟ ଜାହାଙ୍ଗୀର କବୀର ନାନକ ଏବଂ ଦଳର ସଂଗଠନ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ମିର୍ଜା ଆଜମ ଇମେଲ୍ ମାଧ୍ୟମରେ ସେମାନଙ୍କର ସାକ୍ଷ୍ୟ ଦେଇଛନ୍ତି। ଏହି ଉଭୟ ନେତା ବର୍ତ୍ତମାନ ଦେଶରୁ ପଳାୟନ କରିଛନ୍ତି। ଫଳରେ ହସିନାଙ୍କ ପାଇଁ ଅଣ୍ଟି ଛୁରୀ ତଣ୍ଟି କାଟିବା ଭଳି ସ୍ଥିତି ସୃଷ୍ଟି ହୋଇଛି।

ତଦନ୍ତ କମିସନ ଏପର୍ଯ୍ୟନ୍ତ ୮ ଜଣ ବଡ଼ ରାଜନୈତିକ ନେତାଙ୍କ ସାକ୍ଷ୍ୟ ରେକର୍ଡ କରିସାରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନେତାଙ୍କୁ ଜେଲରେ ପଚରାଉଚରା କରାଯାଇଥିଲା, ୩ ଜଣ ବ୍ୟକ୍ତିଗତ ଭାବରେ ବୟାନ ଦେଇଥିଲେ ଏବଂ ବାକି ୨ଜଣ ଇମେଲ୍ ମାଧ୍ୟମରେ ସେମାନଙ୍କର ମତାମତ ଦେଇଥିଲେ।

ରେହମାନଙ୍କ ଅନୁଯାୟୀ, କମିସନ ଏପର୍ଯ୍ୟନ୍ତ ୫୫ ଜଣ ସାମରିକ ଅଧିକାରୀଙ୍କ ବୟାନ ରେକର୍ଡ କରିଛି। ଏଥିରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ପୂର୍ବତନ ମୁଖ୍ୟ ଏବଂ ଗୁଇନ୍ଦା ସଂସ୍ଥାର ଉଚ୍ଚ ପଦାଧିକାରୀମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।ଏହି ମାମଲାରେ ଦଣ୍ଡ ପାଇଥିବା ୨୫ ଜଣ ବିଡିଆର୍ ଜବାନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ମୁକ୍ତ ହୋଇଥିବା ୨୯ ଜଣ ଯବାନଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସାମ୍ବାଦିକ, ବ୍ୟୁରୋକ୍ରାଟ ଏବଂ ପୂର୍ବତନ ତଦନ୍ତ କମିଟି ସଦସ୍ୟଙ୍କ ସମେତ ପ୍ରାୟ ୨୦ ଜଣ ସାଧାରଣ ନାଗରିକଙ୍କ ସହ ମଧ୍ୟ କଥାବାର୍ତ୍ତା କରାଯାଇଛି। ଏପରିକି ଟେଲିକମ୍ ଏବଂ ବ୍ୟବସାୟ କ୍ଷେତ୍ରର ୯ ଜଣ ପେଶାଦାରଙ୍କ ବୟାନ ମଧ୍ୟ ନିଆଯାଇଛି।

ଏପର୍ଯ୍ୟନ୍ତ ମୋଟ ୧୫୮ ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ୫୦ ଜଣଙ୍କ ସାକ୍ଷ୍ୟ ବିଚାରାଧୀନ ଅଛି। କମିସନ ୬ଟି ବିଦେଶୀ ଦୂତାବାସ ଏବଂ ଜାତିସଂଘ କାର୍ଯ୍ୟାଳୟରୁ ମଧ୍ୟ ସୂଚନା ମାଗିଛନ୍ତି। କମିସନ ଜନସାଧାରଣ ଏବଂ ଗଣମାଧ୍ୟମକୁ ପିଲବାଗାନ ଗଣହତ୍ୟା ସହିତ ଜଡିତ କୌଣସି ସୂଚନା ଥିଲେ ସେଗୁଡ଼ିକୁ ସେୟାର କରିବାକୁ ନିବେଦନ କରିଛନ୍ତି।

Spread the love