ହାତୀ ସୁରକ୍ଷା ପାଇଁ ଯୋଡ଼ାରେ ଲାଗିଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ, ୩ ମିଲି ସେକେଣ୍ଡ ପାଇଁ ଲାଗିବ ବିଦ୍ୟୁତ୍‌ ଝଟ୍‌କା

ବଡ଼ବିଲ, ୦୮/୧୦: ମେ ମାସରେ କେନ୍ଦୁଝର ଯୋଡ଼ାରେ ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ଘଟଣା ପରେ ଚେତିଛି ବନ ବିଭାଗ । ହାତୀ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ରେଳ ଧାରଣା ନିକଟରେ ଟ୍ରେଞ୍ଚ ଖୋଳା ଯିବା ସହ ଲଗାଯାଇଛି ହ୍ୟାଙ୍ଗିଂ ସୋଲାର ଫେନ୍ସିଂ । ଓଡ଼ିଶାରେ ପ୍ରଥମ ଥର ପାଇଁ ବନ ବିଭାଗ ପକ୍ଷରୁ କେନ୍ଦୁଝର, ଯୋଡ଼ାରେ ଏହି ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ବା ଝୁଲନ୍ତା ସୌର ବିଦ୍ୟୁତ୍ ବାଡ଼ ସ୍ଥାପନ କରାଯାଇଛି । ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ଓ ଯୋଡ଼ା ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷ କବିନ୍ଦ୍ର ନାଏକ ଏହାକୁ ଉଦଘାଟନ କରିଥିଲେ ।

କ୍ରେଚ୍ ହଟିଂ ଠାରୁ ବେହେରା ହଟିଂ ପର୍ଯ୍ୟନ୍ତ ରେଳ ଧାରଣାର ଉଭୟ ପାର୍ଶ୍ଵରେ ୭୫୦ ମିଟରର ଝୁଲନ୍ତା ସୌର ବିଦ୍ୟୁତ୍ ତାର ବାଡ଼ ଲଗାଯାଇଛି ।  ଏଥିପାଇଁ ବନ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଝୁଲନ୍ତା ତାରରେ ୧୦ ହଜାର ଭୋଲ୍ଟର ବିଦ୍ୟୁତ୍ କରେଣ୍ଟ ସଂଚାର ହେବ । ଏହି କରେଣ୍ଟ ସଂସ୍ପର୍ଶରେ ହାତୀ କିମ୍ବା ଅନ୍ୟ ବନ୍ୟ ଜନ୍ତୁ ଆସିଲେ ମାତ୍ର ୩ ମିଲି ସେକେଣ୍ଡ ପାଇଁ ବିଦ୍ୟୁତ୍ ଝଟକା ଲାଗିବ । ତେବେ ଏହି ବିଦ୍ୟୁତ୍ ଆଘାତରେ ଜୀବ ଜନ୍ତୁଙ୍କ ପ୍ରାଣହାନୀ ଘଟିବନାହଁ । ହାତୀପଲ ଏହି ବାଟ ଦେଇ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କଲେ ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ଦ୍ଵାରା ତାଙ୍କୁ ବିଦ୍ୟୁତ୍ ଝଟକା ଲାଗିବ । ଫଳରେ ସେମାନେ ନିଜକୁ ଅସୁରକ୍ଷିତ ମଣି ଏପଟକୁ ଆଉ ଆସିବେନାହିଁ ବୋଲି ବନ ବିଭାଗ ଆଶା ବ୍ୟକ୍ତ କରିଛି ।

ଗତ ମେ ମାସ ୧୯ ତାରିଖରେ ଏକ ୨୨ ଟିକିଆ ହାତୀପଲ ଏହି ବାଟ ଦେଇ ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ଏକ ମାଲବାହୀ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଗୋଟିଏ ମାଈ ହାତୀ ସହ ୨ ଛୁଆ ହାତୀଙ୍କର ଶୋଚନୀୟ ଭବେ ମୃତ୍ୟୁ ଘଟିଥିଲା ।  ତେବେ ହାତୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗର ଦ୍ଵାରା କରାଯାଇଥିବା ଏଭଳି ପ୍ରୟାସକୁ ସାଧାରଣରେ ସ୍ବାଗତ କରାଯାଇଛି ।

Spread the love