ହାତ ନଥିଲେ ବି ହାର ମାନି ନାହାନ୍ତି ରାମାକୁଲ, ଜୋତା ବିକି କରୁଛନ୍ତି ରୋଜଗାର

ଭୁବନେଶ୍ବର: କେହି ଗ୍ରାହକ ଆସିଲେ ଆଜି ଦି’ ପଇସା ରୋଜଗାର ହେବ । ସମସ୍ତଙ୍କୁ ଆଜି ଟିକେ ଭଲରେ ଖୁଆଇବି । ହାତ ନାହିଁ ତ କଣ ହେଲା, ପର ଆଗରେ ହାତ ପାତିବା ଠୁ ଭଲ ନିଜେ ପରିଶ୍ରମ କରି ପରିବାର ମୁହଁରେ ଦାନା ଯୋଗାଇବି । .. ବୟସ ୬୦ ଛୁଇଁଲାଣି, ଗୋଟେ ହାତ ବି ନାହିଁ । କିନ୍ତୁ ଜୀବନ ସଂଘର୍ଷରୁ ହାର ମାନି ନାହାନ୍ତି ସେ । ସେହି ଗୋଟିଏ ହାତରେ ଚାଲିଛି ଜୀବନ ସଂଘର୍ଷ । ବ୍ୟାଗରେ କିଛି ଜୋତା ଧରି ଏଠି ସେଠି ବୁଲୁଥାନ୍ତି ବୃଦ୍ଧ ଜଣକ । ପୁରୁଣା ସାର୍ଟ ପ୍ୟାଣ୍ଟ ପିନ୍ଧି ଅପେକ୍ଷା କରିଥାନ୍ତି ଗ୍ରାହକଙ୍କୁ । ଏତିକି ବେଳେ ଆମ ନଜର ପଡ଼ିଲା ଏହି ବୃଦ୍ଧଙ୍କ ଉପରେ । ତାଙ୍କର ହାତ ନାହିଁ କିନ୍ତୁ ନିଜେ ପରିଶ୍ରମ କରି ଦୁଇ ପଇସା ରୋଜଗାର କରିବାର ଇଚ୍ଛା ପ୍ରବଳ ରହିଛି । କାରଣ ସେ ସ୍ବାଭିମାନୀ । ତାଙ୍କୁ ଦେଖି ଆମେ ବି ଘଡ଼ିଏ ଅଟକି ଗଲୁ ।

ବୟସ ୬୦ ଛୁଇଁ ସାରିଛି । ପରିବାରର ଭରଣ ପୋଷଣ ଦାୟିତ୍ୱ ଆଜି ବି ତାଙ୍କ କାନ୍ଧରେ । ଏ ହେଉଛନ୍ତି ଗୋକୁଲ ରାମାକୁଲ । ଦୁର୍ଘଟଣାରେ ଗୋଟିଏ ହାତ ହରାଇଛନ୍ତି । ହେଲେ ବାକି ଶରୀର ସହ ମନୋବଳ ଖୁବ୍ ଦୃଢ ଅଛି ।
ରାଜଧାନୀ ଭୁବନେଶ୍ୱର ପରି ସହରର ଗଳିକନ୍ଦିରେ ବୁଲି ବୁଲି ଛୋଟ ବ୍ୟବସାୟକୁ ଆପଣେଇ ନେଇଛନ୍ତି । ଦୀର୍ଘ ୮ରୁ ୯ ବର୍ଷ ଧରି ଏମିତି ଭାବରେ ବେପାର କରୁଛନ୍ତି ଗୋକୁଲ । ଚପଲ ବିକ୍ରି କରି ପରିବାର ପାଇଁ ଦୁଇ ମୁଠା ଆହାର ଯୋଗାଇବାରେ ବ୍ୟସ୍ତ ।

କର୍ମଠ ତଥା ଉଦଯୋଗୀ ବ୍ୟକ୍ତି ନିଜ କାମରେ ବ୍ୟସ୍ତ ଥାଆନ୍ତି । ଦେଖେଇ ହୁଅନ୍ତି ନାହିଁ । ଠିକ୍ ସେମିତି ଗୋକୁଲ ଯେମିତି ସମାଜକୁ ବାର୍ତ୍ତା ଦେଉଛନ୍ତି କି ଯେକୌଣସି ପରିସ୍ଥିତିରେ ବି ମନ ଭାଙ୍ଗିବା ଉଚିତ୍ ନୁହେଁ । ମଣିଷର ମନୋବଳ ଆଗରେ ବୟସ ଓ ଅସମର୍ଥତା ମଧ୍ୟ ହାର୍ ମାନେ । ଗୋକୁଲ ହେଉଛନ୍ତି ତାର ଜୀବନ୍ତ ଉଦାହରଣ ।

Spread the love