ହୀରା ବ୍ୟବସାୟୀ ନୀରବ ମୋଦିଙ୍କ କଳାସାମ୍ରାଜ୍ୟ

କିଙ୍ଗଫିସର ମାଲିକ ବିଜୟ ମାଲ୍ୟା ପରେ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ନାମ ସାମ୍ନାକୁ ଆସିଥିଲା । ଯେ କି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ 11,400କୋଟିରୁ ଊଦ୍ଧ୍ୱର୍ ଟଙ୍କା ଋଣ ନେଇ ଫେରାର ହୋଇଯାଇଥିବା ଜଣାପଡିଥିଲା । ଏବେ କିଛିଦିନ ପୂର୍ବେ ତାଙ୍କୁ ଲଣ୍ଡନରେ ପୋଲିସ ଗିରଫ କରିଥିବା ଜଣାପଡିଛି । ଫଳରେ ଖୁବ୍ଶୀଘ୍ର ନୀରବ ମୋଦି ଭାରତକୁ ଆସିବା ନେଇ ଆଶା କରାଯାଉଛି । ତେବେ ଆସନ୍ତୁ ଜାଣିବା ନୀରବ ମୋଦି ଓ ତାଙ୍କ ଦୁର୍ନୀତି ବିଷୟରେ କିଛି ତଥ୍ୟ…….

ନୀରବ ମୋଦି କିଏ?
ଦେଶର ସବୁଠାରୁ ବଡ ହୀରା ବ୍ୟବସାୟୀ ଭାବେ ବେଶ୍ ଜଣାଶୁଣା ନୀରବ ମୋଦି । ତାଙ୍କର ଏହି ବ୍ୟବସାୟ ସମ୍ବନ୍ଧୀୟ ତିନୋଟି କମ୍ପାନୀ ରହିଛି । ଦେଶ ବାହାରେ ମଧ୍ୟ ତାଙ୍କର ଏହି ବ୍ୟବସାୟକୁ ନେଇ ବେଶ୍ ଡିମାଣ୍ଡ ରହିଥିଲା । ଏଥିପାଇଁ ସେ ବହୁବାର ଧନୀ ତାଲିକାର ଶ୍ରେଷ୍ଠ 100ଜଣ ତାଲିକାରେ ମଧ୍ୟ ସାମିଲ ହୋଇଥିଲେ । ନୀରବ ମୋଦି କେବଳ ହୀରା ନୁହେଁ ବରଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ବେଶ୍ ଟଙ୍କା ଲଗାଇଥିବା ଜଣାପଡିଥିଲା । ତେବେ ସେ ଦେଶ ମଧ୍ୟରେ ଓ ବାହାରେ କରୁଥିବା ବ୍ୟବସାୟ ପାଇଁ ବିଭିନ୍ନ ବ୍ୟାଙ୍କରୁ ଜାଲିଆତି କରି ଭିନ୍ନ ଭିନ୍ନ ନାମରେ ଟଙ୍କା ଋଣ ଆଣିଥିଲେ । ଏହି ଦୁର୍ନୀତିରେ ତାଙ୍କ ପତ୍ନୀ ଏମି, ଭାଇ ନିଶାଲ ଏବଂ ବ୍ୟବସାୟୀଙ୍କ ସାଥିମାନେ ସାମିଲ ଥିବା ଜଣାପଡିଛି । ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ 11,400କୋଟିରୁ ଊଦ୍ଧ୍ୱର୍ ଟଙ୍କା ଋଣ କରି ନ ଶୁଝି ଦେଶ ଛାଡି ପଳାଇଥିଲେ ।

ନୀରବ ଦେଶ ଛାଡି ପଳାଇବା ପରର ଘଟଣା..
ନୀରବ ମୋଦି ଦେଶ ଛାଡି ଯିବାପରେ ସେୟାର ମାର୍କେଟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସେୟାର ଖସି ଯାଇଥିଲା । ବ୍ୟାଙ୍କ ବହୁ କରଜରେ ଡୁବି ରହିଥିଲା । ତେବେ ନୀରବ ମୋଦିଙ୍କ ଠାରୁ ଉକ୍ତ ରାଶି ପାଇବା ପାଇଁ ବ୍ୟାଙ୍କ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ମାତ୍ର ନୀରବ ମୋଦି ଦେଶ ଛାଡି କେଉଁଆଡେ ପଳାଇଥିଲେ ତାହାର କୌଣସି ଖବର ଜଣାପଡି ନଥିଲା । ଏହାପରେ ଦେଶରେ ନୀରବ ମୋଦିଙ୍କ 1,300କୋଟିର ସମ୍ପତିକୁ ସିବିଆଇ ଜବତ କରିବା ସହ ତାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିଲା । ଏହାପରେ ପ୍ରବର୍ତନ ନ୍ୟାୟାଳୟ(ଇଡି) ଏହି ଅଭିଯୋଗ କ୍ରମେ ମୁମ୍ବାଇ, ସୁରଟ ଏବଂ ଦିଲ୍ଲୀରେ ଥିବା ନୀରବ ମୋଦିଙ୍କ ସମସ୍ତ ସମ୍ପତି ଉପରେ ଛାନ୍ଭିନ୍ କରିବା ସହ ତାହାକୁ ନିଜ ଅଧିନରେ କରିନେଇଥିଲା । ନୀରବ ମୋଦିଙ୍କ ବିରୋଧରେ ଋଣ ନେବା ଅଭିଯୋଗରେ ବିଭିନ୍ନ କୋର୍ଟ ପକ୍ଷରୁ ଲୁକ୍ଆଉଟ୍ ନୋଟିସ୍ ଜାରି କରିବା ସତ୍ୱେ ମଧ୍ୟ ସେ ଦେଶକୁ ପତ୍ୟାବର୍ତନ ନ କରି ଲୁଚି ରହିଥିଲେ ।

ଗିରଫ ହେଲେ ନୀରବ ମୋଦି….
ବହୁଦିନ ଧରି ଦେଶ ଛାଡି ପଳାଇଥିବା ନୀରବ ମୋଦି ପରିଶେଷରେ ମାର୍ଚ୍ଚ 9ରେ ଲଣ୍ଡନରେ ରହୁଥିବାର ଜଣାପଡିଥିଲା । ସେଠାରେ ସେ ନିଜର ପରିଚୟ ସହ ବେଶ ପୋଷାକ ପରିବର୍ତନ କରି ଏକ ବିଶାଳ ରାଜପ୍ରାସାଦରେ ରହୁଥିବା ଖବର ସାମ୍ନାକୁ ଆସିଲା । ପୂର୍ବରୁ ଲଣ୍ଡନରେ ମଧ୍ୟ ତାଙ୍କ ନାମରେ ଲୁକ୍ଆଉଟ୍ ନୋଟିସ ଜାରି କରାଯାଇଥିଲା । ତେବେ ଭାରତ ଓ ଲଣ୍ଡନର ଏକ ନୋଟିସ୍ କ୍ରମେ ତାଙ୍କୁ ମାର୍ଚ୍ଚ 20ରେ ଲଣ୍ଡନ ପୋଲିସ ଗିରଫ କରିଥିଲା । ପୋଲିସ ଗିରଫ ପରେ ଲଣ୍ଡନ ଅଦାଲତ ତାଙ୍କୁ ମାର୍ଚ୍ଚ 29 ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଥିବା ଜଣାପଡିଛି । ଅନ୍ୟପଟେ ତାଙ୍କର ଜାମିନକୁ ଖାରଜ କରାଯାଇଥିବା ଜଣାପଡିଛି ।
ନୀରବ ମୋଦିଙ୍କ ଗିରଫ ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସେୟାରରେ 4 ପ୍ରତିଶତ ବୃଦ୍ଧି ପାଇଛି । କୁହାଯାଉଛି ଯେ ମାର୍ଚ୍ଚ 29 ପରେ ତାଙ୍କୁ ଜେଲର ସ୍ପେଶାଲ ସେଲରେ ରଖାଯିବ । ତାଙ୍କୁ ପଶ୍ଚିମ ଲଣ୍ଡନର ଏକ ସ୍ୱତନ୍ତ୍ର ସେଲରେ ରଖାଯିବ । ଯେଉଁଠାରେ ଦାଉଦ୍ ଇବ୍ରାହିମ୍ ସଂଗଠନର ଜାବିର ମୌତି ପୂର୍ବରୁ ଅଛନ୍ତି । ଅନ୍ୟପଟେ ମାର୍ଚ୍ଚ 29 ପରେ ତାଙ୍କୁ ଭାରତକୁ ଆଣିବା ନେଇ ଭାରତୀୟ ଯାଂଚ ଏଜେନ୍ସ ଯୋଜନା ଚଳାଇଥିବା ଜଣାପଡୁଛି ।

ବିକ୍ରି ହେବ ମୂଲ୍ୟବାନ ପେଟିଙ୍ଗ ସହ କାର….
ନୀରବ ମୋଦିଙ୍କ ଗିରଫ ପରେ ଇଡି ତାଙ୍କର ମୂଲ୍ୟବାନ 173ଟି ପେଟିଙ୍ଗକୁ ବିକ୍ରି କରିବାର ନିଷ୍ପତି ନେଇଛି । ତେବେ ଏହି ପେଟିଙ୍ଗର ମୂଲ୍ୟ 57.72କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଏଥିସହ ତାଙ୍କର 11ଟି ମୂଲ୍ୟବାନ କାରକୁ ମଧ୍ୟ ବିକ୍ରି କରିବାର ଯୋଜନା ରଖିଛି । ଏହି କାର ମଧ୍ୟରେ ମରସିଡିଜ୍, ଟୟୋଟା ଭଳି ଦାମୀ କାର ସାମିଲ ରହିଛି । ଏଥିପାଇଁ ଇଡି ବିଶେଷ ଅଦାଲତଠାରୁ ଅନୁମତି ଆଣିଥିବା ଜଣାପଡିଛି । ଏହାପରେ ସେହି ଅଦାଲତ ନୀରବ ମୋଦିଙ୍କ ପତ୍ନୀ ଏମିଙ୍କ ନାମରେ ଜାମିନ ବିହୀନ ୱାରେଂଟ ଜାରି କରିଛନ୍ତି ।

Spread the love