ୟୁକ୍ରେନରେ ଭୟଙ୍କର ବୋମା ବିସ୍ଫୋରଣ, ଗ୍ୟାସ୍ ପାଇପଲାଇନରେ ଲାଗିଲା ନିଆଁ

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଯୁଦ୍ଧ ହେବ ନାହିଁ ବୋଲି ଉଭୟ ଦେଶ ଦାବି କରୁଥିବା ବେଳେ କିନ୍ତୁ ପ୍ରକୃତ ସ୍ଥିତି ଓଲଟା । ଶୁକ୍ରବାର ୟୁକ୍ରେନରେ ଏକ କାର ମଧ୍ୟରେ ବଡ ବିସ୍ଫୋରଣ ହୋଇଛି । ପୂର୍ବ ୟୁକ୍ରେନର ଡାନେଟସ୍କ ଅଞ୍ଚଳରେ ଏହା ଘଟିଛି । ଯେଉଁଠାରେ ଋଷ ସମର୍ଥିତ ବିଛିନ୍ନତାବାଦୀମାନେ ଆଡ୍ଡା ଜମାଇଛନ୍ତି । ଏହି ଗାଡି ଆଞ୍ଚଳିକ ସୁରକ୍ଷା ଅଧିକାରୀ ଡେନିସ୍ ସିନେକୋଭଙ୍କର ବୋଲି କୁହାଯାଉଛି । ସେହିପରି ଏକ ଗ୍ୟାସ୍ ପାଇପଲାଇନରେ ମଧ୍ୟ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।

ତେବେ ଏହି ଘଟଣାକୁ ନେଉ ଅଧିକ ସୂଚନା ମିଳିପାରି ନାହିଁ । କିନ୍ତୁ ଆମେରିକା ଦାବି କରୁଛି ଯେ, ଋଷ ଧିରେଧିରେ ୟୁକ୍ରେନରେ ଅଶାନ୍ତି ସୃଷ୍ଟି କରିପାରେ । ଅର୍ଥାତ ଋଷ ନିଜ ଦେଶରେ ବିସ୍ଫୋରଣ କରି ୟୁକ୍ରେନ ଉପରେ ଦୋଷ ଲଦିପାରେ । ଏହାକୁ ଆଧାର କରି ୟୁକ୍ରେନ ଉପରେ ଆକ୍ରମଣ କରିପାରେ ।

ଶୁକ୍ରବାର ଘଟିଥିବା କାର୍ ବୋମା ବିସ୍ଫୋରଣ ପାଇଁ ଋଷ ୟୁକ୍ରେନକୁ ଦାୟୀ କରିଛି । ସେହିପରି ଯେଉଁ ଅଞ୍ଚଳକୁ ବିଛିନ୍ନତାବାଦୀମାନେ କବଜା କରିଛନ୍ତି, ସେଠାରୁ ଶିଶୁ ଓ ମହିଳାମାନେ ପଳାୟନ ଆରମ୍ଭ କରିଦେଲେଣି । ଯୁଦ୍ଧ ହେବ କହି ସମସ୍ତଙ୍କୁ ଦୂର ସ୍ଥାନକୁ ପଠାଇ ଦିଆଯାଉଛି । ତେବେ ୟୁକ୍ରେନ ଋଷର ସମସ୍ତ ଦାବିକୁ ଖାରଜ କରିଦେଇଛି । ଓଲଟା ଋଷ ଉପରେ ଅଭିଯୋଗ କରିଛି ୟୁକ୍ରେନ ।

ସୂଚନାଯୋଗ୍ୟ, ଆମେରିକା ଋଷର ଆକ୍ରମଣ ନେଇ ଚେତାବନୀ ଦେଇ ସାରିଛି । ଭ୍ଲାଦିମିର ପୁଟିନ କେତେବେଳେ ବି ୟୁକ୍ରେନ ଉପରେ ଆକ୍ରମଣ କରିପାରନ୍ତି ବୋଲି କହିଛନ୍ତି ଜୋ ବାଇଡେନ୍ । ତେବେ ସେ ୟୁକ୍ରେନ ସୀମାକୁ ନିଜ ସୈନ୍ୟ ନ ପଠାଇଲେ ବି ୟୁକ୍ରେନକୁ ସମର୍ଥନ କରିବେ ବୋଲି କହିଛନ୍ତି ।

Spread the love