୧୦ରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର : ଆସନ୍ତା ୧୦ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ । ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ , ବିଜେପି ରାଜ୍ୟ ସଭାପତି ଓ ପ୍ରଭାରୀ ପ୍ରମୁଖଙ୍କ ସହ ଆଲୋଚନା କରିବେ । ଗତ କିଛି ମାସ ଧରି ରାଜ୍ୟ ବିଜେପି ସଭାପତି ଚୟନ ପ୍ରକ୍ରିୟା ଲାଗି ରହିଛି । ଦଳର ଜିଲ୍ଲା ସଭାପତି ଚୟନ ବି ସରିଲାଣି । ହେଲେ ଏଯାଏ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା ହୋଇନାହିଁ । ଗସ୍ତ ସମୟରେ ଶାହ ଏନେଇ ଦଳର ରାଜ୍ୟ ନେତୃତ୍ବଙ୍କ ସହ ବିଚାରବିମର୍ଶ କରି ସହମତି ଭିତ୍ତିରେ ସଭାପତି ଚୟନ ପାଇଁ ପଥ ପରିଷ୍କାର କରିପାରନ୍ତି ବୋଲି କୁହାଯାଉଛି । ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା-ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କୁ ୧୧ ମାସ ପୂରିଲାଣି । ହେଲେ କିଏ ହେବେ ନୂଆ ମନ୍ତ୍ରୀ ? କେବେ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ? ତାହା ଅଟକି ରହିଛି ।
ଗତବର୍ଷ ଜୁନ ୧୨ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଶପଥ ନେଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ୨୨ଜଣ ସଦସ୍ୟ ରହିପାରିବେ। ଆହୁରି ୬ ଜଣ ନୂଆ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ଏବେ ଜଣେ ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଛି । ଏପରିସ୍ଥିତିରେ ଶାହଙ୍କ ଗସ୍ତ ସମୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏବେ ସୁଦ୍ଧା ରାଜ୍ୟରେ ବିଭିନ୍ନ ନିଗମ ଓ ବୋର୍ଡ ସଭାପତି ପଦବୀ ଖାଲି ପଡ଼ିଛି । ଏ ନେଇ ମଧ୍ୟ କସରତ ଲାଗି ରହିଛି । ତେଣୁ ଶାହା ଏବାବଦରେ ବରିଷ୍ଠ ନେତୃତ୍ବଙ୍କ ସହ ଆଲୋଚନା କରିପାରନ୍ତି ।