୧୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର, ୨ ଅଧ୍ୟାଦେଶ ଅନୁମୋଦିତ
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକରେ ଶୁକ୍ରବାର ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି । କ୍ୟାବିନେଟରେ ଦୁଇଟି ଅଧ୍ୟାଦେଶ ଅନୁମୋଦିତ ହୋଇଛି । ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଓଡ଼ିଶା ଜନ ବିଶ୍ୱାସ ଅଧ୍ୟାଦେଶ-୨୦୨୫ ଏବଂ କାରଖାନା (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ-୨୦୨୫ରେ ମୋହର ବାଜିଛି । ଏହି ଅଧ୍ୟାଦେଶ ଶାସନରେ ସଂସ୍କାର ଆଣିବା ସହ ଶ୍ରମିକ ଓ ବ୍ୟବସାୟୀଙ୍କ ପାଇଁ ନୂଆ ବ୍ୟବସ୍ଥା ପ୍ରଣୟନ କରିବ । ଓଡ଼ିଶା ଜନ ବିଶ୍ବାସ ଅଧ୍ୟାଦେଶ-୨୦୨୫ ଅଧାରରେ ଛୋଟ ଅପରାଧ ପାଇଁ ଜେଲଦଣ୍ଡ ବଦଳରେ ଦିଆଯିବ ଆର୍ଥିକ ଦଣ୍ଡ ।
ସେହିପରି ଆଇନରୁ ଅନାବଶ୍ୟକ ଅନୁପାଳନ ବୋଝକୁ ଦୂର କରିବାକୁ ଐତିହାସିକ ସଂସ୍କାର କରାଯାଇଛି । ଛୋଟ ଅପରାଧକୁ ଅପରାଧମୁକ୍ତ କରିବାକୁ ପଦକ୍ଷେପ ସହ ପ୍ରକ୍ରିୟାଗତ ତ୍ରୁଟି ପାଇଁ ଦଣ୍ଡର ସୀମା କମ୍ କରିବାକୁ ବ୍ୟବସ୍ଥା ରହିଛି । ଅଣ ଗୁରୁତର ମାମଲାରେ କାରାଦଣ୍ଡକୁ ଦୂର କରିବାକୁ କାର୍ଯ୍ୟକାରୀ କରାଯିବ । ଅନ୍ୟପଟେ କାରଖାନା ଅଧ୍ୟାଦେଶ ଓଡ଼ିଶାରେ କାରଖାନା ଶ୍ରମିକଙ୍କ ପାଇଁ କାର୍ଯ୍ୟ ଓ ଅନ୍ୟ. ନିୟମରେ ପରିବର୍ତ୍ତନ ଆଣିଛି । ଶ୍ରମିକଙ୍କ ଲିଖିତ ସହମତିରେ ଦିନକୁ ସର୍ବାଧିକ ୧୦ ଘଣ୍ଟା କିମ୍ବା ସପ୍ତାହକୁ ୪୮ ଘଣ୍ଟା କାମ କରିବାକୁ ଅନୁମତି ଦିଆଯାଇଛି । ବଳକା ଦିନଗୁଡ଼ିକ ପାଇଁ ସଶୁଳ୍କ ଛୁଟି ବାଧ୍ୟତାମୂଳକ କରାଯାଇଛି ।
ନିର୍ଦ୍ଦିଷ୍ଟ ଶ୍ରେଣୀର କାରଖାନା ପାଇଁ ନମନୀୟତା ପ୍ରଦାନ କରି ୬ ଘଣ୍ଟା ପର୍ଯ୍ୟନ୍ତ କୌଣସି ବ୍ୟବଧାନ ବିନା କାମ କରିବାକୁ ଅନୁମତି ଦିଆଯାଇଛି । ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ ସପ୍ତାହକୁ ୫୧, ୫୪ କିମ୍ବା ୫୬ ଘଣ୍ଟାରୁ ଅଧିକ ଓଭରଟାଇମ୍ କରିବାକୁ ଅନୁମତି ଦିଆଯାଇଛି । ଦୈନିକ ୧୨ ଘଣ୍ଟା ସୀମା ରଖି ଓଭରଟାଇମ୍ ମଜୁରୀକୁ ପୁନର୍ଗଠିତ କରାଯାଇଛି ଏବଂ ସାଧାରଣ ମଜୁରୀର ଦୁଇ ଗୁଣ ଓଭରଟାଇମ୍ ମଜୁରୀ ଦେବାକୁ ବ୍ୟବସ୍ଥା କରାଯାଇଛି । ପ୍ରତି ତିନି ମାସରେ ଓଭରଟାଇମ୍ ସୀମା ୧୧୫ ଘଣ୍ଟାରୁ ୧୪୪ ଘଣ୍ଟାକୁ ବୃଦ୍ଧି କରାଯାଇଛି । ନିର୍ଦ୍ଧାରିତ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ମହିଳାମାନେ ସମସ୍ତ କାରଖାନାରେ ଯେକୌଣସି ସମୟରେ, ଅର୍ଥାତ୍ ସକାଳ ୬ଟା ପୂର୍ବରୁ ଏବଂ ସନ୍ଧ୍ୟା ୭ଟା ପରେ ମଧ୍ୟ କାମ କରିପାରିବେ ।
