୧୯ରେ ରାଜ୍ୟବ୍ୟାପୀ ଗର୍ଜିବେ ସରକାରୀ କର୍ମଚାରୀ

ମହଙ୍ଗା ଭତ୍ତା ୨୦୧୯ ଜୁଲାଇ ପରିବର୍ତ୍ତେ ୨୦୨୦ ଜାନୁୟାରୀରୁ ମିଳିବା ଓ ସପ୍ତମ ବେତନ କମିଶନ ବକେୟା ଦରମାର ମାତ୍ର ୧୦ପ୍ରତିଶତ ପ୍ରଦାନକୁ ନେଇ ରାଜ୍ୟ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଗତକାଲି ଲୋକସେବା ଭବନର କର୍ମଚାରୀମାନେ ଏକ ବୈଠକ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଆଜି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆସନ୍ତା ୧୯ ତାରିଖ ରାଜ୍ୟବ୍ୟାପୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପାଳନ ପାଇଁ ନିଷ୍ପତ୍ତି ହୋଇଛି।

ସମନ୍ୱୟ ସମିତିର ସଭାପତି ଲିଙ୍ଗରାଜ ମହାନ୍ତି ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମହଙ୍ଗା ଭତ୍ତା ଓ ବର୍ଦ୍ଧିତ ଦରମାର ଗଚ୍ଛିତ ଅର୍ଥର ୧୦ପ୍ରତିଶତ ପ୍ରଦାନ ସମ୍ପର୍କିତ ଘୋଷଣା ରାଜ୍ୟର ୩ଲକ୍ଷ କର୍ମଚାରୀ ଓ ୨ଲକ୍ଷ ପେନସନଭୋଗୀଙ୍କୁ ହତଚକିତ ଓ ବିବ୍ରତ କରିବା ସହ ଅସନ୍ତୁଷ୍ଟ କରିଛି। ରାଜ୍ୟ ସରକାର ତାଙ୍କର ଘୋଷିତ ନୀତିରୁ ଓହରି ୪୦ବର୍ଷର ପରମ୍ପରାକୁ ଭାଙ୍ଗି କର୍ମଚାରୀଙ୍କ ବିଶ୍ୱାସରେ କୁଠାରଘାତ କରି ୬ମାସର ମହଙ୍ଗା ଭତ୍ତା ପାଇବାକୁ କର୍ମଚାରୀ ଓ ପେନସନଭୋଗୀଙ୍କୁ ବଞ୍ଚିତ କରିଛନ୍ତି।ମୂଲ୍ୟସୂଚୀ ସହ ମହଙ୍ଗା ଭତ୍ତାର ସମ୍ପର୍କକୁ ଛିନ୍ନ କରି ଏକ ଅନିଶ୍ଚିତତା ସୃଷ୍ଟି କରିଛନ୍ତି। ସପ୍ତମ ବେତନ କମିଶନ ବାବଦରେ ବାକି ଥିବା ଦରମାର ୬୦ପ୍ରତିଶତରୁ ମାତ୍ର ୧୦ପ୍ରତିଶତ ପ୍ରଦାନ କରି ଅବଶିଷ୍ଟ ୫୦% ସମ୍ପର୍କରେ ନିରବ ରହିବା ସମ୍ପୂର୍ଣ୍ଣ ଭାବେ ପ୍ରତାରଣାମୂଳକ ଓ କର୍ମଚାରୀ ବିରୋଧୀ ନୀତିକୁ ସ୍ପଷ୍ଟ କରିଛି। ଗୋଟିଏପଟେରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିଯୁକ୍ତିଭିତ୍ତିରେ ଭାଗଭାଗ କରି ଆର୍ଥିକ ଶୋଷଣ କରୁଥିବାବେଳେ ଅନ୍ୟପଟେ ଅନୁକମ୍ପାମୂଳକ ନିଯୁକ୍ତିରେ ୪ର୍ଥ ଶ୍ରେଣୀ ପଦବୀରେ ଠିକା ନିଯୁକ୍ତି ନିଷ୍ପତ୍ତି ଅତ୍ୟନ୍ତ ଅମାନବିକ। ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଭାବେ ଚାରିବର୍ଷ ହେବ ସଂଶୋଧିତ ଘରଭଡ଼ା ପ୍ରଦାନ କରୁନାହାନ୍ତି। ୱାର୍କଚାର୍ଜଡମାନଙ୍କ ସହ ୨୦୦୫ ମସିହା ପରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସ୍ଥିରୀକୃତ ପେନସନରୁ ବଂଚିତ କରିଛନ୍ତି। ତେଣୁ ଏହି ସବୁ ପ୍ରସଙ୍ଗକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚାଇବା ପାଇଁ ଓ ସରକାରୀ ନିଷ୍ପତ୍ତିର ପୁନର୍ବିଚାର ଦାବିରେ ଆସନ୍ତା ୧୯ତାରିଖରେ ରାଜ୍ୟବ୍ୟାପୀ ଜିଲ୍ଲାପାଳ ଅଫିସ ସମ୍ମୁଖରେ କର୍ମଚାରୀମାନେ ସଂଗଠିତ ହୋଇ ବିକ୍ଷୋଭ ଓ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟର ସମସ୍ତ କର୍ମଚାରୀମାନଙ୍କୁ ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ସାମିଲ ହେବା ନିମନ୍ତେ କର୍ମଚାରୀ ନେତା ପ୍ରଶାନ୍ତ କୁମାର ମହାନ୍ତି, ମହେଶ ପଟ୍ଟନାୟକ, ସଦାନନ୍ଦ ବେହେରା, କାହ୍ନୁଚରଣ ମଲ୍ଲିକ, ବିଶ୍ୱମୋହନ ମହାପାତ୍ର, ବିକାଶ ଚନ୍ଦ୍ର ମହାପାତ୍ର, ସୁଜିତ୍ କୁମାର ନାୟକ, ଅରୁଣ କୁମାର ବଳିୟାରସିଂ, ଶାନ୍ତିଲତା ସାହୁ, ସୀତା ଭୋଳ, ସେଫାଳୀ ଦାସ, ରତ୍ନାକର ବେହେରା, ବ୍ରଜବନ୍ଧୁ ପରିଡ଼ା, ରେଣୁକା ମହନ୍ତ, ସହସ୍ରନାମ ପାଠୀ ପ୍ରମୁଖ ନିବେଦନ କରିଛନ୍ତି।

Spread the love