୧୯୭୧, ୨୦୨୫ ସ୍ଥିତି ସମାନ ନୁହେଁ’
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହେବାପରେ କଂଗ୍ରେସ ଗତକାଲି ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରିବା ପାଇଁ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱ ପ୍ରସଙ୍ଗ ଉଠାଇଥିଲା। ଦଳର ବରିଷ୍ଠ ନେତା ଶଶି ଥରୁର ଆଜି ଉକ୍ତ ପ୍ରସଙ୍ଗରେ ଟିପ୍ପଣୀ ରଖି କହିଛନ୍ତି ଯେ ୧୯୭୧ ଏବଂ ୨୦୨୫ର ପରିସ୍ଥିତି ସମାନ ନୁହେଁ। ଏଏନ୍ଆଇ ସହ ଏକ ଆଲୋଚନା ସମୟରେ ଶଶି ଥରୁର୍ଙ୍କୁ ସରକାର ଅସ୍ତ୍ରବିରତି ଚୁକ୍ତି ଘୋଷଣା କରିବା ପରେ କଂଗ୍ରେସ ସୋସିଆଲ ମିଡିଆ ଅଭିଯାନ ମାଧ୍ୟମରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଦର୍ଶନ କରିବା ନେଇ ପ୍ରଶ୍ନ ପଚରାଯାଇଥିଲା। ତେବେ ଥରୁର୍ ଏହା ଉପରେ ସିଧାସଳଖ ମନ୍ତବ୍ୟ ନ ଦେଇ କହିଛନ୍ତି ଯେ ପ୍ରକୃତ କଥା ହେଉଛି, ମୋ ମତରେ, ଆମେ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଥିଲୁ ଯେଉଁଠାରେ ଉତ୍ତେଜନା ଅନାବଶ୍ୟକ ଭାବରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିଲା। ଆମ ପାଇଁ ଶାନ୍ତି ଆବଶ୍ୟକ। ସତ ଏହା ଯେ ୧୯୭୧ର ପରିସ୍ଥିତି ୨୦୨୫ର ପରିସ୍ଥିତି ସମାନ ନୁହେଁ। ଏଥିରେ ପାର୍ଥକ୍ୟ ରହିଛି। ଥରୁର୍ କହିଛନ୍ତି, ଭାରତର ଲୋକମାନେ ଶାନ୍ତିର ହକ୍ଦାର। ମୁଁ କହୁନାହିଁ ଯେ ଆମେ ଯୁଦ୍ଧ ବନ୍ଦ କରିବା ଉଚିତ। ଯେତେବେଳେ ଏହାକୁ ଜାରି ରଖିବାର କାରଣ ଅଛି, ଆମେ ଜାରି ରଖିବା ଉଚିତ। କିନ୍ତୁ ଏହା ଏପରି ଏକ ଯୁଦ୍ଧ ନଥିଲା ଯାହାକୁ ଆମେ ଜାରି ରଖିବାକୁ ଚାହୁଥିଲୁ। ଆମେ କେବଳ ଆତଙ୍କବାଦୀଙ୍କୁ ଏକ ଶିକ୍ଷା ଦେବାକୁ ଚାହୁଁଥିଲୁ ଏବଂ ସେହି ଶିକ୍ଷା ଦିଆଯାଇଛି। ଥରୁର ପୁଣିଥରେ କହିଛନ୍ତି ଯେ ସରକାର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଚେଷ୍ଟା ଜାରି ରଖିବେ। ‘ଏହା ଅପରିହାର୍ଯ୍ୟ। ଏହା ରାତାରାତି ଘଟି ନପାରେ, ଏଥିପାଇଁ ମାସ, ବର୍ଷ ଲାଗିପାରେ। ଆମ ନାଗରିକଙ୍କୁ ହତ୍ୟା କରିଥିବା କେହି ବି ନିସ୍ତାର ପାଇବେ ନାହିଁ ବୋଲି ଥରୁର କହିଛନ୍ତି।