୫ ହଜାର ସଦସ୍ୟଙ୍କୁ ନିଯୁକ୍ତି, ଆତ୍ମଘାତୀ ଆକ୍ରମଣ ତାଲିମ
ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ମହିଳା ଶାଖା ୫,୦୦୦ ସଦସ୍ୟଙ୍କୁ ନିଯୁକ୍ତି ଦେବା ସହ ସେମାନଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ଦେଇଛି ବୋଲି ଏହାର ମୁଖ୍ୟ ମସୁଦ ଆଝାର ଦାବି କରିଛି। ମସୁଦର ଭଉଣୀ ସୟିଦା ନେତୃତ୍ୱରେ ଜମାତ-ଉଲ-ମୋମିନତ ଗଠନ ଆତଙ୍କବାଦୀ ଗୋଷ୍ଠୀର ଉପସ୍ଥିତିକୁ ଦୃଢ କରିବା ଏବଂ ମହିଳା ନିଯୁକ୍ତି ମାଧ୍ୟମରେ ଏହାର ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ନିକଟରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ମସୁଦ ଆଝାର ଦର୍ଶାଇଛି ଯେ, ୫,୦୦୦ରୁ ଅଧିକ ମହିଳା ଏହି ଗୋଷ୍ଠୀରେ ଯୋଗ ଦେଇଛନ୍ତି ଏବଂ ନିଯୁକ୍ତି ଓ ତାଲିମକୁ ସୁଗମ କରିବା ପାଇଁ ସମଗ୍ର ପାକିସ୍ତାନ-ଅଧିକୃତ କାଶ୍ମରରେ ଜିଲ୍ଲାସ୍ତରୀୟ ସଂଗଠନ ପ୍ରତିଷ୍ଠା କରାଯାଉଛି। ଜେଇଏମ୍ ମୁଖ୍ୟର କହିବା ଅନୁଯାୟୀ, ପ୍ରତ୍ୟେକ ଜିଲ୍ଲାରେ ଶାଖାର କାର୍ଯ୍ୟକଳାପକୁ ସମନ୍ୱିତ କରିବା ପାଇଁ ଜଣେ ମହିଳା ମୁଖ୍ୟ ନେତୃତ୍ୱରେ ଏକ ଉତ୍ସର୍ଗୀକୃତ କାର୍ଯ୍ୟାଳୟ ରହିବ। ଜେଇଏମ୍ର ମହିଳା ଶାଖା ସୃଷ୍ଟି ପାକିସ୍ତାନର ଆତଙ୍କବାଦୀ ଦୃଶ୍ୟପଟ୍ଟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ସଙ୍କେତ ଦେଇଥାଏ। ବିଶ୍ଳେଷକମାନେ ମତ ଦିଅନ୍ତି ଯେ ମହିଳାମାନେ ଉଗ୍ରବାଦୀ ଅଭିଯାନରେ ନୂତନ ଚେହେରା ଭାବରେ ଉଭା ହେଉଛନ୍ତି, ଯାହା ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଅନୁକୂଳ ରଣନୀତିକୁ ପ୍ରତିଫଳିତ କରୁଛି। ମସୁଦ ତା’ ଭାଷଣରେ କହିଛି ଦେଇଛି ଯେ, ଯଦି କୌଣସି ମହିଳା ଏଥିରେ ଯୋଗ ଦେବ ସେ ମୃତ୍ୟୁ ପରେ ତା’ କବରରୁ ସିଧା ସ୍ୱର୍ଗକୁ ଯିବ। ସେ ଆହୁରି କହିଛି ଯେ, ଜୈସର ଶତ୍ରୁମାନେ ହିନ୍ଦୁ ମହିଳାମାନଙ୍କୁ ସେନାରେ ଭର୍ତ୍ତି କରିଛନ୍ତି ଏବଂ ଆମ ବିରୋଧରେ ମହିଳା ସାମ୍ବାଦିକ ନିଯୁକ୍ତ କରିଛନ୍ତି।
