୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର ୦୩।୧୦: ସୋମବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ। ୩ ଓ ୪ ତାରିଖ (ଅଷ୍ଟମୀ ଓ ନବମୀ) ଦୁଇ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷିବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି। ବର୍ଷା ଯୋଗୁ ପୂଜା ମଉଜ ଫିକା ପଡ଼ିବାର ଆଶଙ୍କା ବଢ଼ିଲାଣି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦୁଇଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି କହିଛି। ୩ ତାରିଖ ରାତିରୁ ବର୍ଷା ବଢ଼ିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ୩ରେ ଉପକୂଳରେ ସ୍ୱଳ୍ପ ବର୍ଷା ହେବ। ଗଞ୍ଜାମ ଓ ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ସମସ୍ତ ଉପକୂଳ ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ।

ସୋମବାର ରାତିରୁ ବର୍ଷା ପରିମାଣ ବଢ଼ିବ। ୪ ଓ ୫ରେ ସମସ୍ତ ଉପକୂଳ ଜିଲ୍ଲାରେ ଭାରୀ ବର୍ଷା ହେବ। ଦୁଇ ଦିନରେ ପ୍ରାୟ ୧୩୦ ମିଲିମିଟର ବର୍ଷା ହେବାର ସମ୍ଭାବନା ଅଛି। କିଛି ସ୍ଥାନରେ ଆହୁରି ଅଧିକ ବର୍ଷା ହୋଇପାରେ। ୭ରେ ଦକ୍ଷିଣ ଉପକୂଳରେ ଗଞ୍ଜାମରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ବାକି ଉପକୂଳ ଜିଲ୍ଲାରେ ବର୍ଷା କମିଯିବ । ଏ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣ (୩୫ମିଲିମିଟର) ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ୪ ଓ ୫ରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୩ରୁ ୭ ତାରିଖ ଯାଏ ଉତ୍ତର ଆଭ୍ୟନ୍ତରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଆସନ୍ତା ୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରି କହିଛି, ୩ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ସୁନ୍ଦରଗଡ଼ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୪ରେ ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ସେହିଭଳି ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବୌଦ୍ଧରେ ୩୫, ବାଲେଶ୍ୱରରେ ୨୯.୮ ମିଲିମିଟର, ଭବାନୀପାଟଣାରେ ୨୭, ହୀରାକୁଦରେ ୨୬.୨, ପାରଳାଖେମୁଣ୍ଡିରେ ୧୨.୨ ଓ ତାଳଚେରରେ ୧୫ ମିମି ବର୍ଷା ହୋଇଛି । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜି ବିଶେଷ ବର୍ଷା ହୋଇନି ଓ ପାଗ ଶୁଖିଲା ରହିଥିଲା ।

Spread the love