‘ଜେଡିୟୁ’ ନେତାଙ୍କ ଗାଡ଼ି ଧକ୍କାରେ ଜଣେ ମୃତ, ୭ ଆହତ

ହାଜିପୁର: ଶନିବାର ଦିନ ବିହାରର ହାଜିପୁର ଅନ୍ତର୍ଗତ ସରାଇ ଥାନା ଅନ୍ତର୍ଗତ ଜଲାଲ୍‌ପୁରରେ ‘ଜେଡି(ୟୁ)’ ନେତାଙ୍କ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟୂନ ଆଉ ୭ଜଣ ଆହତ ହୋଇଥିବା କଥା ‘ଏବିପି’ ରିପୋର୍ଟ କରିଛି। ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣା ରଜୌଲୀ ଗାଁ’ରେ ଘଟିଛି। ସେଠାରେ ରାସ୍ତାକଡ଼ରେ ଗୋଟାଏ ବାଲିଗାଡ଼ି ଟ୍ରକ୍‌ ହୋଇଥିଲା। ସେତିକି ବେଳେ ଦ୍ରୁତ ଗତିରେ ଆସୁଥିବା ‘ଜେଡିୟୁ’ ନେତାଙ୍କ ‘ମହିନ୍ଦ୍ରା ସ୍କର୍ପିଓ’ କାର୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତାକଡ଼ରେ ଠିଆ ହୋଇଥିବା ୭ଜଣ ଲୋକଙ୍କ ଉପରେ ଧକ୍କା ଖାଇଲା। ଗାଡ଼ି ଧକ୍କା ଖାଇ ସୁରେନ୍ଦ୍ର ଚୌଧୁରୀ ନାମରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଲା। ଏପର୍ଯ୍ୟନ୍ତ ପରିଚୟ ମିଳି ନ ଥିବା ଉକ୍ତ ‘ଜେଡି(ୟୁ)’ ନେତାଜଣକ କାର୍‌ ଡ୍ରାଇଭର୍‌ ସହିତ ଘଟଣାସ୍ଥଳରୁ ଖସି ପଳାଇଛନ୍ତି।

ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ଗୁରୁତର ହୋଇ ପଡ଼ିଥିବା ୨ଜଣଙ୍କୁ ପାଟନାସ୍ଥିତ ‘ପିଏମ୍‌ସିଏଚ୍‌’କୁ ରେଫର୍‌ କରାଯାଇଛି। ବାକି ୩ଜଣ ସ୍ଥାନୀୟ ହାଜିପୁର ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଆହତମାନଙ୍କ ମଧ୍ୟରେ କେତେଜଣ ମହିଳା ଓ ଝିଅ ଅଛନ୍ତି। ସଦର ‘ଏସ୍‌ଡିପିଓ’ ଓମ୍‌ପ୍ରକାଶ କହିଛନ୍ତି ଯେ, ରାସ୍ତାକଡ଼ରେ ଠିଆ ହୋଇଥିବା ବାଲିଟ୍ରକ୍‌ ଯୋଗୁଁ ସ୍କର୍ପିଓ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇଥାଇ ପାରନ୍ତି। ଗାଡ଼ିରେ ‘ଜେଡିୟୁ’ ବୋର୍ଡ ଲାଗିଛି। ସେଥିରେ ଥିବା ସମସ୍ତ ଲୋକ ଫେରାର ହୋଇଯାଇଛନ୍ତି। ପ୍ରକୃତରେ ଗାଡ଼ିଟି କାହାର ଜଣାପଡ଼ିନାହିଁ। ଘଟଣା ଯୋଗୁଁ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀମାନେ ସେଠ‌ାରେ ଭଙ୍ଗାରୁଜା କରିଛନ୍ତି।

Spread the love