ଏକାଦଶ ଶ୍ରେଣୀରେ ଖାଲିପଡ଼ିଲା ୧.୩୧ ଲକ୍ଷ ସିଟ୍‌

ଭୁବନେଶ୍ବର: ଶିକ୍ଷାବର୍ଷ ୨୦୨୩-୨୪ରେ ଏକାଦଶ ଶ୍ରେଣୀରେ ଏପର୍ଯ୍ୟନ୍ତ ୧ ଲକ୍ଷ ୩୧ ହଜାର ସିଟ୍‌ ଖାଲି ପଡ଼ିଛି। ଏହି ଖାଲି ସିଟ୍‌ ପୂରଣ ପାଇଁ ବଞ୍ଚିତ ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ପଟ ଚୟନ ପ୍ରକ୍ରିୟାରେ ସୁଯୋଗ ମିଳିବ। ଏଥି ନିମନ୍ତେ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ବାର୍ତ୍ତା (ହ୍ବାଟ୍‌ସଆପ୍‌/ଏସ୍‌ଏମ୍‌ଏସ୍‌) ମାଧ୍ୟମରେ ଅବଗତ କରାଯିବ। ଇଛୁକ ଛାତ୍ରଛାତ୍ରୀମାନେ ଆସି ଉକ୍ତ ଶିକ୍ଷାନୁଷ୍ଠାନରେ ନିଜ ଇଚ୍ଛା ପ୍ରକାଶ କଲେ ସେମାନଙ୍କର ନାମ ଲେଖା ବୈଧ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।  କିଛି ଶିକ୍ଷାନୁଷ୍ଠାନରେ ଅଣସଂରକ୍ଷିତ ମେଧାବୀ ଛାତ୍ରଛାତ୍ରୀ ନାମଲେଖାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ପଟ ଚୟନ ପ୍ରକ୍ରିୟାରେ ଖାଲିଥିବା ଆସନ ସଂଖ୍ୟା ମଧ୍ୟରୁ ୱେଟେଜ୍‌ରେ ଚୟନୀତ ସଂଖ୍ୟା ବିପକ୍ଷରେ ସୁଯୋଗ ଦିଆଯିବ।

ଚଳିତ ଶିକ୍ଷାବର୍ଷରେ ୨୧୬୭ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ମୋଟ୍‌ ୫,୦୯,୩୭୩ ଆସନ ମଧ୍ୟରୁ ୩,୭୭,୭୭୦ ଜଣ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି। ଏକାଦଶ ଶ୍ରେଣୀରେ ଆଡମିସନ ନିମନ୍ତେ ଅନୁସୂଚିତ ଜାତି/ଜନଜାତି, ସେବାନିବୃତ୍ତ କର୍ମଚାରୀ, ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ସେହିପରି ଏନ୍‌ସିସି, ସ୍କାଉଟ୍‌ଗାଇଡ ରାଜ୍ୟ ତଥା ଜାତୀୟ ସ୍ତରୀୟ କ୍ରୀଡ଼ାରେ ଭାଗନେଇଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ୱେଟେଜ୍‌ର ପ୍ରବଧାନ ରହିଛି। ‌ପ୍ରତ୍ୟେକ ବିଦ୍ୟାଳୟରେ ଥିବା ମୋଟ୍‌ ଆସନ ସଂଖ୍ୟାର ଶତକଡ଼ା ୧୦ ପ୍ରତିଶତ ୱେଟେଜ୍‌ଧାରୀ ଆବେଦନକାରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥାଏ।

ପ୍ରଥମ ଓ ଦ୍ବିତୀୟ ଚୟନ ପ୍ରକ୍ରିୟା ପରେ ଦେଖାଗଲା ଯେ, କିଛି ଅନୁଷ୍ଠାନରେ ୱେଟେଜ୍‌ ପାଇଁ ଧାର୍ଯ୍ୟ ଥିବା ଆସନ ସଂଖ୍ୟା ଶତକଡ଼ା ୧୦ ପ୍ରତିଶତରୁ କମ୍‌ ରହିଛି। ଚଳିତ ସ୍ପଟ୍‌ ଚୟନ ପ୍ରକ୍ରିୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରଥମ ଏବଂ ଦ୍ବିତୀୟ ଚୟନ ପ୍ରକ୍ରିୟା ପରେ ଖାଲି ଥିବା ସମସ୍ତ ଆସନଗୁଡ଼ିକୁ ପୂରଣ କରିବା ନିମନ୍ତେ ସମସ୍ତ ଆବେଦନକାରୀଙ୍କ ସହିତ ୱେଟେଜ୍‌ (ଏନ୍‌ସିସି, ସ୍କାଉଟ୍‌ ଗାଇଡ୍‌, କ୍ରୀଡ଼ା) ଦାବିଦାର ବିଦ୍ୟାର୍ଥୀଙ୍କୁ ବିଚାରକୁ ନିଆଯାଇ ସିଷ୍ଟମ ଦ୍ବାରା ଏକ ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା।

Spread the love