ଜୁଆ ଖେଳ: ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୧୦ ଅଟକ

ସମ୍ୱଲପୁର : ସମ୍ବଲପୁରରେ ବଡ଼ ଧରଣରେ ରେଡ୍ । ଏକ ହୋଟେଲରେ ଜୁଆଖେଳ ଚାଲିଥିବା ବେଳେ ପୁଲିସ ଚଢ଼ଉ କରି ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିବା ୧୦ଜଣଙ୍କୁ ଅଟକ ରଖିଛି । ହୋଟେଲ ମ୍ୟାନେଜର ଫେରାର ଥିବା ଜଣାପଡ଼ିଛି । ଅଟକମାନେ ହେଉଛନ୍ତି, ଖେତରାପୁର ଥାନା ଚେରୁଆପଡ଼ାର ବିଜୟ କୁମାର ଗୁପ୍ତା(୬୫), ଧନୁପାଲି ମୋତିଝରଣର ଏମଡି ରାହିଶ(୪୯), ଟାଉନଥାନା ଗେଟି ଟକିଜ ରୋଡର ଗଜରାଜ ପଟେଲ(୬୦), ପେନସନପଡ଼ାର ସାୟଦ ଜାହିଦ(୪୯), ଅଇଁଠାପାଲି ଥାନା କାଇଁସର ରୋଡର ଅଭିଶେଖ ପ୍ରଧାନ(୪୮), ଜମନକିରା ଥାନା ସରଡାବାହାଲ ବରୁଣ ରାଉତ(୩୫), ବୁର୍ଲା ଥାନା କଳାମାଟିର ଶ୍ୱେତମ୍ବର ବେହେରା(୩୩), ଅରୁଣ କୁମାର ଦେବତା(୪୫) ଓ ସଞ୍ଜୀବ ବେହେରା(୩୬) । ଏ ସମସ୍ତେ ଜୁଆ ଆଡ୍ଡାରେ ରହିଥିଲେ । ଏହା ସହ ହୋଟେଲ ବୟ ପ୍ରସାନ୍ତ ସାହୁକୁ ମଧ୍ୟ ଅଟକ ରଖିଛି ପୁଲିସ । ହୋଟେଲର ମ୍ୟାନେଜର ସୁରେଶ ପଟେଲ ଫେରାର ରହିଛି ।
ସୂଚନା ଅନୁସାରେ ଧନୁପାଲି ଥାନା ଅଧୀନ ହୋଟେଲ ଉପହାର ପ୍ୟାଲେସ୍‌ର ରୁମ ନମ୍ବର ୧୦୫ରେ ଜୁଆଖେଳ ହେଉଥିଲା । ପୁଷପୁନି ଅବସରରେ ଜୁଆଡ଼ିମାନେ ନିଜର ଆସର ମେଲାଇଥିଲେ । ପୁଲିସ ଖବରପାଇ ଅପରାହ୍ନ ୩ଟା ବେଳେ ହୋଟେଲକୁ ଯାଇଥିଲା । ଭିତରେ ଖେଳୁଥିବା ବ୍ୟକ୍ତି ମାନେ ଏହି ଖବର ପାଇବା ପରେ ଟଙ୍କା ଲୁଚାଇ ଦେଇଥିଲେ । ଏପରିକି ଲକ୍ଷାଧିକ ଟଙ୍କା ପାଇଖାନା ଫ୍ଲସରେ ଭର୍ତ୍ତି କରିଦେଇଥିଲେ । ପୁଲିସ ଆଲମାରିରୁ ଟଙ୍କା ପାଇଥିଲା । ଖୋଜା ଖୋଜି ପରେ ଫ୍ଲସରୁ ମଧ୍ୟ ଲକ୍ଷାଧିକ ଟଙ୍କା ପାଇଥିଲା । ମୋଟ ୮ ଲକ୍ଷ ୧୪ଶହ ଟଙ୍କା ଜବତ ହୋଇଥିବା ନେଇ ପୁଲିସ କହିଛି । ୧୧ଟି ମୋବାଇଲ, ୨ଟି ଗାଡ଼ି ଜବତ କରିଛି । ଜୁଆଖେଳରେ ହୋଟେଲ ମାଲିକଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ହୋଟେଲ ମାଲିକ କହିଛନ୍ତି ମୁଁ ଏ ବିଷୟରେ ଜାଣି ନାହିଁ ।

Spread the love