ହଷ୍ଟେଲ୍ରେ ରାଗିଙ୍ଗ୍ କରି ବହିଷ୍କୃତ ହେଲେ ୧୦ଜଣ ‘ଏମ୍ବିବିଏସ୍’ ଛାତ୍ର
ହଲ୍ଦ୍ୱାନୀ: ରାଗିଙ୍ଗ୍ରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉତ୍ତରାଖଣ୍ଡ ହଲ୍ଦ୍ୱାନୀସ୍ଥିତ ସରକାରୀ ଡାକ୍ତରୀ ମହାବିଦ୍ୟାଳୟ ପ୍ରଶାସନ ୧୦ଜଣ ଛାତ୍ରଙ୍କୁ ହଷ୍ଟେଲ୍ରୁ ବହିଷ୍କାର କରିଛି। ଏଥି ସହିତ ସେମାନେ ଏକ ସପ୍ତାହ ପର୍ଯ୍ୟନ୍ତ କ୍ଲାସ୍କୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ କଲେଜ ପ୍ରଶାସନ ଆଦେଶ ଦେଇଛି। ୨ ବାର୍ଷିକୀ ହଷ୍ଟେଲ୍ରେ ଜୁନିୟର୍ ଶିକ୍ଷାର୍ଥୀମାନଙ୍କୁ ରାଗିଙ୍ଗ୍ କରାଯାଉଥିବା ସୂଚନା ପାଇବା ମାତ୍ରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କଥା ମହାବିଦ୍ୟାଳୟ ଅଧିକାରୀମାନେ କହିଛନ୍ତି।
କେବଳ ସେତିକି ନୁହେଁ, ୧୦ ଅଭିଯୁକ୍ତ ଛାତ୍ରଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି ବୋଲି ଅଧ୍ୟକ୍ଷ ଡାକ୍ତର ଅରୁଣ ଯୋଶୀ କହିଛନ୍ତି। ରାଗିଙ୍ଗ୍ ବିଷୟରେ ଜଣେ ପ୍ରହରୀ ମହାବିଦ୍ୟାଳୟ ପ୍ରଶାସନକୁ ସୂଚନା ଦେବା ପରେ ଶୃଙ୍ଖଳାଗତ କମିଟି ତୁରନ୍ତ ବୈଠକ ଡାକିଥିଲା। ତା’ପରେ ‘ଆଣ୍ଟି-ରାଗିଙ୍ଗ୍ କମିଟି’ ବୈଠକ ବି ବସିଥିଲା। ଅଧ୍ୟକ୍ଷ ଡାକ୍ତର ଯୋଶୀ କହିଛନ୍ତି ଯେ, ହଷ୍ଟେଲ୍ ୱାର୍ଡେନ୍ଙ୍କୁ ଛାତ୍ରମାନଙ୍କ ଆଚରଣ ସଂକ୍ରାନ୍ତ ରିପୋର୍ଟ ମଗାଯାଇଛି। ସବୁ କଥା ବିଚାର କରାଯିବା ପରେ ଯାଇ ଅଭିଯୁକ୍ତ ଛାତ୍ରମାନଙ୍କୁ ପରୀକ୍ଷାରେ ବସିବା ଲାଗି ‘ଆଡ୍ମିଟ୍ କାର୍ଡ’ ପ୍ରଦାନ କରାଯିବ।
ଉଲ୍ଲେଖଯୋଗ୍ୟ, ଉକ୍ତ କଲେଜରେ ଏହା ପ୍ରଥମ ରାଗିଙ୍ଗ୍ ଘଟଣା ନୁହେଁ। ଚଳିତ ବର୍ଷ ମାର୍ଚ ମାସରେ ବି ଏଭଳି ଏକ ଘଟଣା ଘଟିଥିଲା। ସେତେବେଳେ କଲେଜ ପ୍ରଶାସନ ୩ ଜଣ ଛାତ୍ରଙ୍କୁ ୬ ମାସ ପାଇଁ ହଷ୍ଟେଲ୍ରୁ ବହିଷ୍କାର କରିବା ସହିତ ପ୍ରତ୍ୟେକଙ୍କ ଉପରେ ୨୫,୦୦୦ ଟଙ୍କା ଲେଖାଏଁ ଜରିମାନା କରିଥିଲା।