ଗାଁ ଛାଡିବୁ ନାହିଁ: ଦଶଟି ଜନ ଆନ୍ଦୋଳନର ଗାଥା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୧୦/୧: ସ୍ୱାଧୀନତ୍ତୋର ଓଡ଼ିଶାର ଇତିହାସରେ ଏକ ସ୍ୱଳ୍ପ ଆଲୋଚିତ ଅଥଚ ମହତ୍ତ୍ୱପୂର୍ଣ୍ଣ ଦିଗ ହେଲା ବିକାଶ ନାମରେ ହେଉଥିବା ବିସ୍ଥାପନ, ପରିବେଶ ଜନିତ କ୍ଷୟକ୍ଷତି, ପ୍ରଦୂଷଣ ଓ ତା’ ବିରୋଧରେ ଜୀବନ ଜୀବିକା ଦାୟରେ କରି ଆସୁଥିବା ଜମି, ଜଙ୍ଗଲ, ଜଳ ଓ ସଂସ୍କୃତି ସୁରକ୍ଷାର ଜନ ଆନ୍ଦୋଳନ । ସେଇ ସ୍ୱଳ୍ପ ଆଲୋଚିତ ଦିଗ ଉପରେ ବିଚାର, ବିମର୍ଷ ଓ ବାର୍ତ୍ତାଳାପର ସମ୍ଭାବନାକୁ ପ୍ରସାରିତ କରିବାର ପ୍ରତିଶ୍ରୁତି ନେଇ ପ୍ରକାଶିତ ହୋଇଛି ନିଗମାନନ୍ଦ ଷଢ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କ ଦ୍ୱାରା ‘ଗାଁ ଛାଡିବୁ ନାହିଁ: ଦଶଟି ଜନ ଆନ୍ଦୋଳନର ଗାଥା’ ପୁସ୍ତକ। ହୀରାକୁଦ ଓ ରେଙ୍ଗାଲି ନଦୀବନ୍ଧ ବିରୋଧୀ ଜନ ଆନ୍ଦୋଳନରୁ ଆରମ୍ଭ କରି ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ବକ୍ସାଇଟ ଓ ଆଲୁମିନା କାରଖାନାକୁ ବିରୋଧ କରି ବାଲକୋ ବିରୋଧୀ ଗନ୍ଧମାର୍ଦ୍ଦନ, କାଶୀପୁର ଓ ନିୟମଗିରି ଜନ ଆନ୍ଦୋଳନ, ଟାଟା ବିରୋଧୀ ଚିଲିକା ମତ୍ସ୍ୟଜୀବୀ ଆନ୍ଦୋଳନ, ଟିସ୍କୋ ବିରୋଧୀ ଆନ୍ଦୋଳନରୁ ଆରମ୍ଭ କରି ଧାନ, ପାନ ଓ ମୀନର ପୋସ୍କୋ ବିରୋଧୀ ଆନ୍ଦୋଳନ ଯାଏଁ ଦଶଟି ଜନ ଆନ୍ଦୋଳନର ଅନେକ ଅନ୍ତରଙ୍ଗ କଥାକୁ ଗୋଟିଏ ମାଳାରେ ଗୁନ୍ଥିବାକୁ ଚେଷ୍ଟା କରିଛନ୍ତି ଲେଖକ ଓ ଲେଖିକା ଦ୍ୱୟ ।
ବହୁ ଅନାଲୋଚିତ ଓ ଗୁରୁତ୍ୱପୂର୍ଣ୍ଣ ଗବେଷଣା ମୂଳକ ବିଷୟ ବସ୍ତୁ ତଥା ଜୀବନ୍ତ ଘଟଣାବଳୀକୁ ନେଇ ଏହି ପୁସ୍ତକଟି ଆଜି ଲୋହିଆ ଏକାଡେ଼ମୀ ପରିସରରେ ଉନ୍ମୋଚିତ ହୋଇଯାଇଛି । ‘ଅନ୍ୱେଷା’ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଅବସରରେ ଅନ୍ୱେଷା ର ସଂପାଦକ ସରୋଜ ମହାନ୍ତି ପ୍ରାରମ୍ଭିକ ସୂଚନା ତଥା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଲୋକାର୍ପଣ ସମାବେଶକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ତଥା ସାଂପ୍ରତିକ କୃଷକ ଆନ୍ଦୋଳନର ନେତା ଲିଙ୍ଗରାଜ ସଂଯୋଜନା କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରାକ୍ତନ ପ୍ରଫେସର ଡଃ ବୀରେନ୍ଦ୍ର ନାୟକ, ଗାନ୍ଧୀବାଦୀ ଶୈଳଜ ରଵି, କବୟିତ୍ରୀ ତଥା ଗବେଷିକା ସୁଜାତା ସାହାଣୀ, ରାଜନୈତିକ ବିଶ୍ଳେଷକ ଶ୍ରୀମନ୍ତ ମହାନ୍ତି ପୁସ୍ତକର ବିଭିନ୍ନ ଦିଗକୁ ବିଶ୍ଳେଷଣ କରି ଅନେକ ମର୍ମସ୍ପର୍ଶୀ ଆଲୋଚନା କରିଥିଲେ ଓ ଉକ୍ତ ପୁସ୍ତକଟି ଆଗାମୀ ଦିଗରେ ଜନ ଆନ୍ଦୋଳନ ମାନଙ୍କୁ ନୂତନ ଦିଶା ଦେବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପୁସ୍ତକର ଲୋକାର୍ପଣ ସମାବେଶରେ ଯୋଗଦେଇ ଲେଖକ ଦ୍ୱୟଙ୍କ ବହୁ କଷ୍ଟସାଧ୍ୟ ତଥା ଗବେଷଣା ମୂଳକ ପୁସ୍ତକ ପ୍ରକାଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Spread the love