ଶାନ୍ତିପଲ୍ଲୀ ପ୍ରକଳ୍ପରେ ବଣ୍ଟା ହେଲା ୧୧୦ ଘର: ଦେଢ଼ ଲକ୍ଷ ପ୍ରିମିୟମ୍‌ ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଶାନ୍ତିପଲ୍ଲୀ ବସ୍ତି ବାସିନ୍ଦାଙ୍କ ଦୀର୍ଘ ୧୦ ବର୍ଷ କାଳ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆଜି ବିଡିଏ ପକ୍ଷରୁ ଲଟେରି ଜରିଆରେ ୧୧୦ ଜଣଙ୍କୁ ରାଜୀବ ଆବାସ ଯୋଜନାରେ ଘର ଆବଣ୍ଟନ କରାଯାଇଛି। ଇଡିକଲ୍‌ ଅଡିଟୋରିୟମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଟେରି କରାଯିବା ସହ ହିତାଧିକାରୀଙ୍କୁ ଅନ୍ୟାନ୍ୟ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇଛି। ଯେଉଁମାନେ ଘର ବାବଦକୁ ଧାର୍ଯ୍ୟ ପ୍ରିମିୟମ୍‌ ଜମା କରିଛନ୍ତି ସେମାନଙ୍କୁ ଗୃହ ଆବଣ୍ଟନ କରାଯାଇଥିବା ବେଳେ ଅନ୍ୟ ଯେଉଁମାନେ ଏହି ଟଙ୍କା ଦାଖଲ କରିବେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଘର ଦିଆଯିବ। ୭ ଦିନ ପରେ ଦ୍ବିତୀୟ ପର୍ଯ୍ୟାୟ ଲଟେରି ହେବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ୪ଟି ବ୍ଲକ୍‌ରେ ୫୬୦ ଘର ପ୍ରସ୍ତୁତ ହୋଇଛି। କେଉଁ ଘର କିଏ ନେବ ତାହା ପାଇଁ ଲଟେରି ହେଉଛି। ଏହା ପରେ ହିତାଧିକାରୀଙ୍କ ସହ ଡିଡ୍‌ କରାଯିବ। ଡିଡ୍‌ ପରେ ସେମାନଙ୍କୁ ଦଖଲ ଦିଆଯିବ। ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା, କର୍ପୋରେଟର ପୁଷ୍ପାଞ୍ଜଳୀ ସେଠୀ, ବିଡିଏ ଯୁଗ୍ମ କମିସନର (ଭୂ-ସମ୍ପତ୍ତି) ଶ୍ବେତ କୁମାର ଦାଶ, ଓଏମ୍‌ସିର ଅଶୋକ ବେହେରା ପ୍ରମୁଖ ଲଟେରି ଜରିଆରେ ଏହି ଆବଣ୍ଟନ କରିଛନ୍ତି।

ହିତାଧିକାରୀ ପ୍ରିମିୟମ୍‌ ବାବଦକୁ ୧.୫ ଲକ୍ଷ ଟଙ୍କା ଜମା କରୁଛନ୍ତି। ଅନେକ ଗରିବ ହୋଇଥିବାରୁ ଏହି ପ୍ରିମିୟମ୍‌ ବାଧୁଛି। ଅନେକ ଏହାକୁ ମାଗଣାରେ ଦେବା ପାଇଁ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ଏଠାରେ ମୋଟ ୧୯.୩୯୫ ଏକର ଜମି ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ୭.୭୯୭ ଏକର ଜମି ନିଆଯାଇଛି। ପିପିପି ମୋଡ୍‌ରେ ଯେଉଁ ସଂସ୍ଥା ଏହାକୁ ତିଆରି କରୁଛି ତାକୁ ସହିଦନଗର ଭଳି ଗୁରୁତ୍ବପୂର୍ଣ୍ଣ ଜାଗାରେ ୨.୧୦୦ ଏକର ଜମି ଦିଆଯାଇଛି। ଯାହାକୁ ସମ୍ପୃକ୍ତ ସଂସ୍ଥା ବଂଶାନୁକ୍ରମିକ ଭାବରେ ବ୍ୟବହାର କରିବ, କୋଟି କୋଟି ଟଙ୍କା ରୋଜଗାର କରିବ। ଏହି ମୂଲ୍ୟବାନ୍‌ ଜମି ବିନିମୟରେ ବସ୍ତିବାସିନ୍ଦାଙ୍କ ପାଇଁ ଥରେ ମାତ୍ର ଘର ତିଆରି କରିବ। ଏପଟେ ବିଡିଏ ଗରିବ ବାସିନ୍ଦାଙ୍କ ଠାରୁ ୧.୫ ଲକ୍ଷ ଲେଖାଏଁ ଲୁଟି ନେବ। ଯଦି ମୂଲ୍ୟବାନ୍‌ ଜମି ବଦଳରେ ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି ତେବେ ଗରିବଙ୍କ ଠାରୁ ଏହି ଲୁଟ୍‌ କାହିଁକି? ଏଠାରେ ୧୩୦୦ ଘର ନିର୍ମାଣ ହେବାକୁ ଯାଉଛି। ଘର ପିଛା ୧.୫ଲକ୍ଷ ହିସାବରେ ୧୯ କୋଟି ୫୦ ଲକ୍ଷ ଆଦାୟ କରିବାକୁ ବିଡିଏ ଲକ୍ଷ୍ୟ ରଖିଛି। ସବୁଠାରୁ ବଡ଼ କଥା ହେଉଛି ୧୧୦ ଜଣଙ୍କ ମଧ୍ୟରୁ ୯୦ ଜଣ ବ୍ୟାଙ୍କ୍‌ ଋଣ କରି ଏହି ପ୍ରିମିୟମ୍‌ ଜମା ଦେଇଛନ୍ତି। ଅର୍ଥାତ୍‌ ୯୦ ପ୍ରତିଶତରୁ ଅଧିକ ବସ୍ତିବାସିନ୍ଦା ଏହି ପ୍ରିମିୟମ୍‌ ଦାଖଲ କରିବାକୁ ସକ୍ଷମ ନୁହନ୍ତି। ଗୋଟିଏ ପଟେ ବିଲ୍ଡରକୁ କୋଟି କୋଟି ଟଙ୍କାର ଫାଇଦା ଦେଇ ଗରିବଙ୍କୁ ଏଭଳି ଶୋଷଣ କରି ବିଡିଏ କଣ ପ୍ରମାଣିତ କରିବାକୁ ଚାହୁଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେଉଁମାନେ ପ୍ରିମିୟମ୍‌ ଦେଇ ପାରୁ ନାହାନ୍ତି ସେମାନଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି। ବ୍ୟାଙ୍କ୍‌ ସହ ଯୋଗାଯୋଗ କରାଯାଇ ସୁବିଧା ପ୍ରଦାନ କରାଯାଇଛି। ରେ’ ସ୍କିମ୍‌ ଆଧାରରେ ଏହି ପ୍ରିମିୟମ୍‌ ଆଦାୟ କରାଯାଉଛି।

ଉଲ୍ଲେଖଯୋଗ୍ୟ, ୨୦୧୦ ମସିହାରେ ସହିଦନଗରର ଶାନ୍ତି ପଲ୍ଲୀ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ଦେବା ପାଇଁ ଯୋଜନା ହେବା ସହ ପ୍ରଥମ ପର୍ଯ୍ୟାୟରେ ୮୪୯ ହିତାଧିକାରୀ ଚିହ୍ନଟ ହୋଇଥିଲେ। ସର୍ଭେ ହୋଇନଥିବା ବସ୍ତିବାସିନ୍ଦାଙ୍କ ସଂଖ୍ୟା ଆକଳନ କରି ୪ଟି ବ୍ଲକ୍‌ରେ ୧୩୦୦ ୟୁନିଟ୍‌ ନିର୍ମାଣ ହେବାକୁ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସମ୍ପୃକ୍ତ ଠିକାସଂସ୍ଥା ୫୬୦ ଘର ନିର୍ମାଣ କରିଥିଲା। ୧୦ ବର୍ଷ ଭିତରେ ଏହି ବସ୍ତିରେ ପରିବାର ସଂଖ୍ୟା ମଧ୍ୟ ବଢ଼ି ଥଇବା ଅନୁମାନ କରି ବିଡିଏ ଦ୍ବିତୀୟବାର ସର୍ଭେ କରିଥିଲା। ସେତେବେଳେ ଆଉ ୩୭୨ ହିତାଧିକାରୀଙ୍କ ତାଲିକା ହୋଇଥିଲା। କିନ୍ତୁ ମୂଳ ହିତାଧିକାରୀ ତାଲିକାରୁ ୬୫ ଜଣଙ୍କୁ କାଟି ଦିଆଯିବାରୁ ଅସନ୍ତୋଷ ବଢ଼ିଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ବିଡିଏ ଘର ଆବଣ୍ଟନ କରିବାକୁ ତତ୍ପର ହୋଇଥିଲା।

Spread the love