ସଫଳତାର ପାହାଚ ଚଢୁଛନ୍ତି କିସ ଛାତ୍ରଛାତ୍ରୀ, ନିଟ୍ କ୍ୱାଲିଫାଏ କଲେ ୧୧ଜଣ
କିସର ୧୧ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ କ୍ୱାଲିଫାଏ କରି ବିଭିନ୍ନ ମେଡିକାଲ କଲେଜରେ ଏମ୍ବିଏଏସ୍ରେ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏକାଥରକେ ନିଟ୍ କ୍ୱାଲିଫାଏ କରିବା କିସ୍ ଇତିହାସରେ ପ୍ରଥମ । ଏମାନଙ୍କ ମଧ୍ୟରୁ ୫ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ର୍ୟାଙ୍କ ଅନୁସାରେ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ନାମଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟମାନେ କିପରି କିମ୍ସ ସମେତ ଅନ୍ୟାନ୍ୟ ଘରୋଇ ମେଡିକାଲ କଲେଜରେ ନାମଲେଖାଇ ପାରିବେ ସେଥିପାଇଁ କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉଦ୍ୟମ କରୁଛନ୍ତି ।
କିସ ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଖୁସିବ୍ୟକ୍ତ କରି ଡ. ସାମନ୍ତ ନିଟ୍ କ୍ୱାଲିଫାଏ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, କିସ ଆରମ୍ଭହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଉତ୍ତମ ଯତ୍ନ ଯୋଗୁଁ ଛାତ୍ରଛାତ୍ରୀମାନେ ଉଭୟ ଶିକ୍ଷା ଓ କ୍ରୀଡାରେ ସଫଳତା ଅର୍ଜନ କରିପାରୁଛନ୍ତି । ଉତ୍ତମ ଶୈକ୍ଷିକ ବାତାବରଣ ଓ ପିଲାମାନଙ୍କ ଉପଯୁକ୍ତ ଯତ୍ନ ଯୋଗୁଁ କିସର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଓ ସରକାରୀ ଏବଂ ଘରୋଇ ନିଯୁକ୍ତି ପାଇପାରୁଛନ୍ତି । ନିକଟରେ କିସର ୪ଜଣ ଛାତ୍ର ସବଇନ୍ସପେକ୍ଟର ଚାକିରୀ ପାଇପାରିଥିବା ବେଳେ ଅନେକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସରେ କ୍ୱାଲିଫାଏ କରି ବିଭିନ୍ନ ଆଇଆଇଟି, ଏନଆଇଟି ଭଳି ସର୍ବଭାରତୀୟ ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଅଛନ୍ତି ।