ଆଜି ବିଜେପିର ୧୨ଘଣ୍ଟିଆ କଟକ ବନ୍ଦ

କଟକ ୧୩।୦୯: ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗକୁ ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦରୁ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ । ଶାନ୍ତିପୂର୍ଣ୍ଣ ଉପାୟରେ ବନ୍ଦ ପାଳନ କରାଯିବ ଓ କୌଣସି ରାସ୍ତାରୋକ କରାଯିବ ନାହିଁ ।

ତେବେ ବନ୍ଦରେ ସାମିଲ ହେବା ପାଇଁ ହାଇକୋର୍ଟ ଠାରୁ ଆରମ୍ଭ କରି ମାଲଗୋଦାମ ଓ ଅନ୍ୟ ସମସ୍ତ ଅନୁଷ୍ଠାନ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । ମୂର୍ତ୍ତି ଉଚ୍ଚତା ଗତବର୍ଷ ଭଳି ୪ଫୁଟ୍ ରେ ସୀମିତ ରହିବ ବୋଲି ଏସ୍ ଆର୍ ସି ଘୋଷଣା କରିବା ପରେ ଏହାକୁ ନେଇ କଟକରେ ଅସନ୍ତୋଷ ବଢ଼ିଥିଲା । କଟକର ପୂଜା କମିଟି ଗୁଡିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢାଇବା ପାଇଁ ଅନୁରୋଧ କରିଥିବା ବେଳେ ସରକାର ଏହାକୁ ପୂର୍ବ ନିଷ୍ପତି ଅନୁଯାୟୀ ପାଳନ କରିବାକୁ ଦୋହରାଇଥିଲେ । ଏଣୁ କଟକ ନଗର ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦେଇଛି ।

ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୧୨ ପ୍ଲାଟୁନ୍ ପୁଲିସ ଫୋର୍ସ କଟକ କମିସନରେଟ୍ ରେ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି। କଟକକୁ ଦୁଇଟି ଜୋନ୍ ରେ ଭାଗ କରାଯାଇ ସହର ଭିତର ଓ ବାହାରେ ଜଣେ ଲେଖାଏଁ ଏଡିସିପିଙ୍କୁ ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି।.କଲେଜ ଛକ, ଦୋଳମୁଣ୍ଡାଇ, ଓଏମ୍ ପି ଛକ, ଖାନନଗର, ଜିଲ୍ଲାପାଳ ଅଫିସ ସାମନା, ସିଏମ୍ ସି ଅଫିସ ସାମନା, ବକ୍ସିବଜାର, ଚଣ୍ଡୀଛକ, ବାଦାମବାଡ଼ି, ଆକାଶବାଣୀ ଭବନ ସାମ୍‌ନା ଇତ୍ୟାଦି ଅଞ୍ଚଳକୁ ସମ୍ବେଦନଶୀଳ ଅଞ୍ଚଳରେ ଅସ୍ଥାୟୀ ଚେକ୍ ପୋଷ୍ଟ୍ ଖୋଲାଯାଇଛି।

Spread the love