୧୦ ଡିଗ୍ରୀ ତଳେ ୧୩ଟି ସହର

ପୁଣି ଥରିଲା ସୋନପୁର। ଏଠାରେ ଆଜି ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୬, ଟିଟିଲାଗଡ଼ରେ ୬.୫, ଦାରିଙ୍ଗବାଡ଼ିରେ ୭.୨, ଝାରସୁଗୁଡ଼ାରେ ୮.୪, କେନ୍ଦୁଝରରେ ୮.୮, କୋରାପୁଟରେ ୯, ବଲାଙ୍ଗିରରେ ୯, ସମ୍ବଲପୁରରେ ୯, ଭବାନୀପାଟଣାରେ ୯.୩, ସୁନ୍ଦରଗଡ଼ରେ ୯.୫ ଓ ବାଲେଶ୍ୱରରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର ଓ କଟକର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୧.୩ ଓ ୧୦.୨ ଡିଗ୍ରୀ ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଆସନ୍ତା ୨୪ ଘଣ୍ଟା ଯାଏ କିଛି ଜିଲ୍ଲାରେ ଏଭଳି କୋଲ୍ଡ ୱେଭ୍ ଜାରି ରହିବ ବୋଲି କୁହାଯାଇଛି।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର କହିଛନ୍ତି, “ଆସନ୍ତା ୨୪ ଘଣ୍ଟା ଯାଏ କିଛି ଜିଲ୍ଲାରେ କୋଲ୍ଡ ୱେଭ୍‌ ଲାଗି ରହିବ। ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଅନୁଗୋଳ, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର। ସେହିପରି ଆସନ୍ତା ୫ ଦିନ ଯାଏ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେବେ ଦୁଇରୁ ତିନି ଦିନ ଯାଏ ରାଜ୍ୟରେ ତାପମାତ୍ରା କମ୍‌ ରହିବ। ତା’ପରେ ତାପମାତ୍ରା ସାମାନ୍ୟ ବଢ଼ିବ।”ସେ ଆହୁରି କହିଛନ୍ତି, “ଦିନେ ଦୁଇ ଦିନ ମଧ୍ୟରେ ପାହାଡ଼ିଆ ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଭବାନୀପାଟଣା, ସୁନ୍ଦରଗଡ଼, କୋରପୁଟ, ଫୁଲବାଣୀ। ଏଥିସହ କୋଷ୍ଟାଲ ଓଡ଼ିଶାରେ ମଧ୍ୟ କିଛି ପରିମାଣରେ କୁହୁଡ଼ି ଦେଖିବାକୁ ମିଳିବ।” ଗତକାଲି ରାଜ୍ୟର ପ୍ରାୟ ୧୦ଟି ପ୍ରମୁଖ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ସୋନପୁରରେ ତାପମାତ୍ରା ୬.୮ ଡିଗ୍ରୀ ରହିଥିଲା।

Spread the love