ଭୁବନେଶ୍ୱର, ୨୯/୦୫: ଯାହା କଳ୍ପନାରେ କେହି ଭାବି ନ ଥିଲେ ତାହା ଘଟିଛି । କରୋନା ବଦଳାଇ ଦେଇଛି ଦେଶ ଓ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଚିତ୍ର । ଲକ୍ ଡାଉନ୍ ଯୋଗୁଁ ଦୁଇମାସ ଧରି ଠପ୍ ହୋଇଗଲା ସାଧାରଣ ଜୀବନଯାତ୍ରା । ବନ୍ଦ ହୋଇଗଲା ଅର୍ଥନୈତିକ କାରବାର, ଲୋକଙ୍କ କାମଧନ୍ଦା । ଜୀବିକା ହରାଇ ଲୋକେ ହାହାକାର । ଖଟିଖିଆ, ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ନ କହିବା ଭଲ । ରାଜ୍ୟର ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ମେ ୨୯ ଅର୍ଥାତ୍ ଆଜି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରୁଛି ବର୍ଷେ । ତେଣୁ ଏହା ଏକ ଭିନ୍ନ ସ୍ୱନକ୍ଷତ୍ରର ଅବକାଶ ନେଇ ଆସିଛି । ସଫଳତାରେ ଖୁସି ହେବାର ବେଳ ନୁହେଁ, ବରଂ ଆଗରେ ଗଦା ହୋଇଥିବା ଚାଲେଂଜର ସାମନା କରିବାକୁ ବଳ ଗୋଟାଇବାର ବେଳ ଆସିଛି । ଠିକ୍ ବର୍ଷକ ତଳେ ପଞ୍ଚମ ଥର ପାଇଁ ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ଗତ ଚାରି ପାଳିଠାରୁ ଏଥର ପାଳି ଏକ ଭିନ୍ନ ରୂପରେ ଆସିଥିଲା । ସରକାର ଗଠନର ପ୍ରଥମ ଦିନରୁ ହିଁ ନାଗରିକକେନ୍ଦ୍ରିକ ଓ ଉତ୍ତରଦାୟୀ ସରକାରର ସଂକଳ୍ପ ଧରି ନବୀନ ଆଗକୁ ବଢ଼ିଥିଲେ । ‘୫-ଟି’ ଏବଂ ‘ମୋ ସରକାର’ ଭଳି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ଲୋକଙ୍କ ନିକଟତର କରିବାକୁ ଉଦ୍ୟମ କରିଛନ୍ତି । ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଐତିହ୍ୟ କରିଡ଼ର ଭାବେ ଗଢ଼ି ତୋଳିବାକୁ ଐତିହାସିକ ଉଦ୍ୟମ ହୋଇଛି । ରାଜ୍ୟର ଅନ୍ୟାନ୍ୟ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୀର୍ଜା ପ୍ରଭୃତି ସବୁ ଧର୍ମପୀଠଗୁଡ଼ିକୁ ମଧ୍ୟ ନୂଆ ରୂପରେ ସଜାଯାଉଛି । କଟକ ବଡ଼ ମେଡ଼ିକାଲ୍ କଲେଜକୁ ବିଶ୍ୱସ୍ତରୀୟ କରିବା କାମ ଆରମ୍ଭ ହୋଇଛି । ସରକାରଙ୍କ ଏହି ସବୁ ପ୍ରୟାସକୁ ଜନସମର୍ଥନ ମିଳୁଥିବା ସତ୍ୟ । ‘୫-ଟି’ ଓ ‘ମୋ ସରକାର’ ର ଯଥେଷ୍ଟ ପ୍ରଭାବ ଅନୁଭୂତ ହେଉଛି । ଏହା ସତ୍ତ୍ୱେ ପ୍ରଶାସନ କଳକୁ ଦୁର୍ନୀତିମୁକ୍ତ କରିବାରେ ନବୀନ ଏଯାଏଁ ସଫଳ ହୋଇପାରିନାହାନ୍ତି । ନିରନ୍ତର ଉଦ୍ୟମ ଜାରି ରହିଲେ ଯାଇ ଅବସ୍ଥା ବଦଳିବ ବୋଲି ଅନେକଙ୍କ ମତ । ତେବେ ଯାହା ହେଉ, ରାଜ୍ୟ ସରକାରଙ୍କ ବିକାଶର ସଂକଳ୍ପ ଯାତ୍ରାରେ ଏବେ ସଙ୍କଟ ସୃଷ୍ଟି କରିଛି ମହାମାରୀ କରୋନା । ଲୋକଙ୍କ ଜୀବନ ରକ୍ଷା ହୋଇଛି ସତ ହେଲେ ଜୀବିକା ଚାଲିଯାଇଛି । ଅମ୍ଫନ୍ ବାତ୍ୟା ବି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି । ତେଣୁ ସରକାରଙ୍କ ପାଇଁ ଏହା ଖାଲି ବଡ଼ ଚାଲେଂଜ ହୋଇନି ବରଂ ବଡ଼ ଦାୟିତ୍ୱ ହୋଇଛି । ବର୍ଷେ ପୂର୍ତ୍ତି ପାଳନ ପାଇଁ କୌଣସି ବିଶେଷ କାର୍ଯ୍ୟକ୍ରମ ନ ଥିଲେ ମଧ୍ୟ ଆଗାମୀ ଦିନର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ଯୋଗାଡ଼ ହୋଇଛି । ୧୧ଟା ୪୫ ରେ କ୍ୟାବିନେଟ୍ ବୈଠକ ଏବଂ ପରେ ପରେ ୧୨.୩୦ରେ ମନ୍ତ୍ରୀ ପରିଷଦର ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ । ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ଦେଇଥିବା ବିଭାଗ କାମର ହିସାବ ନିକାଶ ନେବେ । ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡକୁ ପ୍ରାଥମିକତା ଦିଆଯିବ । କୋଭିଡ୍ ମୁକାବିଲାରେ ରାଜ୍ୟ ସରକାର ସଫଳ । ଏକଥା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭିଡ଼ିଓ ବାର୍ତ୍ତାରେ ଜଣାଇଛନ୍ତି । କୋଭିଡ୍ ଯୁଦ୍ଧର ସାମନାରେ ରହି ଲୋକଙ୍କ ଜୀବନ ବଞ୍ଚାଇଥିବା ଯୋଦ୍ଧାମାନଙ୍କୁ ମୁଖ୍ୟମନ୍ତ୍ରୀ ଭୂରି ଭୂରି ପ୍ରଶଂସା କରିଛନ୍ତି । ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ କରୋନାଠାରୁ ଦୂରେଇ ରଖିବାକୁ ଲୋକଙ୍କୁ ସଚେତନ ଜାରି ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇପାରନ୍ତି । ରାଜ୍ୟ ଅର୍ଥନୀତିର ଅଣ୍ଟା ସଳଖିବା ଏବଂ ଲୋକଙ୍କ ଜୀବିକା ସଂସ୍ଥାପନ ସରକାରଙ୍କ ପାଇଁ ବଡ଼ ଦାୟିତ୍ୱ ହୋଇଥିବାରୁ ଏହା ଉପରେ ସରକାର ଠୋସ୍ ପଦକ୍ଷେପ ନେଇପାରନ୍ତି । ଲକ୍ ଡାଉନ୍ ସତ୍ତ୍ୱେ ରାଜ୍ୟ ସରକାର କୃଷିକାର୍ଯ୍ୟ ଉପରୁ କଟକଣା ହଟାଇଛନ୍ତି ଏବଂ ନରେଗା କାର୍ଯ୍ୟାନ୍ୱୟକୁ ଗତିଶୀଳ କରାଇଛନ୍ତି । ଏହା ଜରିଆରେ ଲୋକଙ୍କ ଜୀବିକା ସ୍ୱାଭାବିକ କରିବାକୁ ସରକାର ଆଉ କିଛି ନିଷ୍ପତ୍ତି ନେଇପାରନ୍ତି । ପ୍ରବାସୀ ଶ୍ରମିକଙ୍କ ଭାରକୁ ସମ୍ଭାଳିବା ପାଇଁ ନୂଆ ସୁଯୋଗ ସୃଷ୍ଟି ଉପରେ ସରକାର କିଛି ପଦକ୍ଷେପ ନେଇପାରନ୍ତି ।

Spread the love