ପ୍ରବାସୀ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪ ଦିନ କ୍ୱାରେଂଟାଇନର ବ୍ୟବସ୍ଥା କରାଯାଉ : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର:  ସାରା ଦେଶ ସମେତ ରାଜ୍ୟ ଏବେ କରୋନା ମହାମାରୀ ସହ ଲଢେଇ କରୁଛି । ବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା ଯୋଗୁଁ ବର୍ତମାନ ସୁଦ୍ଧା ଓଡିଶାରେ କରୋନା ରୋଗୀମାନେ ଖୁବ ଶୀଘ୍ର ଉପକୃତ ହେଉଛନ୍ତି । କିନ୍ତୁ ଗତ  କିଛିଦିନ ହେବ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ କ୍ୱାରେଂଟାଇନରେ ରହିବା ସମୟକୁ ୧୪ ଦିନ ପରିବର୍ତେ ୭ ଦିନ କରାଯାଇଛି ।  ଏହା ଦ୍ୱାରା କରୋନା ଚିହ୍ନଟ ହେବାରେ ଅସୁବିଧା ହେବା ସହ ବ୍ୟାପିବାର ଆଶଙ୍କା ରହିଛି ।
ପୂର୍ବରୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୧୪ ଦିନ କ୍ୱାରେଂଟାଇନରୁ ୨୧ ଦିନ ବୃଦ୍ଧି କରିବା ସହ ୭  ଦିନ ହୋମ କ୍ୱାରେଂଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟସରକାର ଏବେ ଏହି ସମୟସୀମାକୁ କମ୍ କରିବା
ସହ ବିନା ସ୍ୱାବ ଟେଷ୍ଟରେ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଉଛନ୍ତି । ଯାହା ଦ୍ୱାରା ଆଗାମୀ ଦିନରେ କରୋନା
ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଗାଁ ମାନଙ୍କରେ ଶ୍ରମିକ ମାନେ ତାଙ୍କର ଗୋଟିଏ କିମ୍ବା ଦୁଇ ବଖରା ଘରେ  ୫ ଜଣରୁ ୧୦ ଜଣ ପରିବାର ସଦସ୍ୟ ବସବାସ କରିଥାନ୍ତି । ବାହାରୁ ଆସିଥିବା ଶ୍ରମିକ ଭାଇ କିମ୍ବା ଭଉଣୀମାନଙ୍କ ପାଇଁ ହୋମ କ୍ୱାରେଂଟାଇନ ଏବଂ ସାମାଜିକ ଦୂରତା ନିଜ ଘରେ ପାଳନ କରିବା ସମ୍ଭବ ନୁହେଁ ।

ଏହା ଦ୍ୱାରା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪ ଦିନ  କ୍ୱାରେଂଟାଇନର ବ୍ୟବସ୍ଥା କରିବା ସହ ସେମାନଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଘରକୁ  ପଠାଯିବାର ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି ।

Spread the love