ଜାପାନ ଶୈଳୀରେ ବନ୍ଦେ ଭାରତ ଏକ୍ସପ୍ରେସର ସଫେଇ: ମାତ୍ର ୧୪ ମିନିଟ୍‌ରେ ପରିଷ୍କାର

ନୂଆଦିଲ୍ଲୀ: ଏବେ ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର ୧୪ ମିନିଟ୍‌ରେ ପରିଷ୍କାର ହୋଇ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯିବ। ଏହାକୁ ‘୧୪ ମିନିଟ୍‌ ମିରାକଲ୍‌’ (୧୪ ମିନିଟର ଚମତ୍କାରିତା) ବୋଲି କୁହାଯାଉଛି। ରବିବାର ଠାରୁ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀର ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଏବଂ ଶିରିଡ଼ି ସମେତ ୨୯ଟି ସ୍ଥାନରେ ଲାଗୁ ହେବ। ପୁରୀରେ ଆଜି ଏହି  ଯୋଜନାର ଶୁଭାରମ୍ଭ ହୋଇଛି।

ଭାରତ ସରକାର ‘୧୪ ମିନିଟ୍‌ ମିରାକଲ୍‌’ ଲାଗୁ କରିବାକୁ ଥିବା ବେଳେ ବହୁ ପୂର୍ବରୁ ଜାପାନରେ ‘୭ ମିନିଟ୍‌ ମିରାକଲ୍‌’ କାର୍ଯ୍ୟ କରୁଛି। ଏହାର ଅର୍ଥ ଜାପାନର ବୁଲେଟ୍‌ ଟ୍ରେନ୍‌ ମାତ୍ର ୭ ମିନିଟ୍‌ରେ ପରିଷ୍କାର ହେବା ସହ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହୋଇପାରୁଛି। ସେପଟେ ବନ୍ଦେ ଭାରତ ଏକ୍ସପ୍ରେସ ଏବେ ପରିଷ୍କାର ହେବା ସହ ପରବର୍ତ୍ତୀ ଟ୍ରିପ ଲାଗି ପ୍ରସ୍ତୁତ ହେବାକୁ ୪୫ ମିନିଟ୍‌ ଲାଗୁଛି ବୋଲି ଜଣେ ଅଧିକାର ସୂଚନା ଦେଇଛନ୍ତି। ରବିବାର ଦିନ ଦିଲ୍ଲୀ ଷ୍ଟେସନ୍‌ରେ ‘୧୪ ମିନିଟ୍‌ ମିରାକଲ୍‌’ ଦେଖିବାକୁ ପହଞ୍ଚିବେ ରେଳ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ।

ମିଳିଥିବା ସୂଚନା ଅନୁସାରେ, ପ୍ରତି ବଗିରେ ୩ ଜଣ ଲେଖାଏଁ ପ୍ରଶିକ୍ଷିତ ସଫେଇ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ମାତ୍ର ୧୪ ମିନିଟ୍‌ ମଧ୍ୟରେ ଏକ୍ସପ୍ରେସକୁ ଚିକ୍କଣ କରିବା ସହ ରେଡି କରାଇବେ। ତେବେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜରିଆରେ ‘୧୪ ମିନିଟ୍‌ ମିରାକଲ୍‌’ ଲଞ୍ଚ ନେଇ ଘୋଷଣା କରିଥିଲା ରେଳ ମନ୍ତ୍ରାଳୟ। ଷ୍ଟେସନ୍‌ରେ ପ୍ରତ୍ୟେକ ଯାତ୍ରୀ ଓହ୍ଲାଇଯିବା ପରେ ପ୍ରଶିକ୍ଷିତ ସଫେଇ କର୍ମଚାରୀ ବଗିଗୁଡ଼ିକୁ ସଫା କରିବେ। ସେପଟେ ଯାତ୍ରୀଙ୍କ ମତାମତ ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସରେ କିଭଳି ସଫେଇ କାର୍ଯ୍ୟକୁ ଆହୁରି ଭଲ ଭାବେ କରିହେବ ତା ଉପରେ ବିଶ୍ଳେଷଣ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Spread the love