ଅବ୍ୟବସ୍ଥା ଅଭିଯୋଗ ଆଣି ହଷ୍ଟେଲ ଛାଡ଼ିଲେ ପ୍ରାଥମିକ ବିଦ୍ୟାଳୟର ୧୪ ଛାତ୍ର

ବୈପାରିଗୁଡ଼ା: ଖାଇବା ପିଇବା ସହ ଅନ୍ୟାନ୍ୟ ସୁବିଧାର ଅବ୍ୟବସ୍ଥା ସଂପର୍କରେ ଅଭିଯୋଗ ଆଣି ପ୍ରାଥମିକ ବିଦ୍ୟାଳୟର ୧୪ ଜଣ ଛାତ୍ର ହଷ୍ଟେଲ ଛାଡି ଚାଲିଚାଲି ଗାଆଁକୁ ଫେରୁଥିବା ଘଟଣା ଏବେ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଅନୁଯାୟୀ, ବ୍ଲକ ସଦର ମହକୁମାରେ ଅବସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ୪୦ ଜଣ ଛାତ୍ର ରହି ପଢ଼ୁଥିବା ବେଳେ ଗତକାଲି ସକାଳୁ ୧୪ ଜଣ ଛାତ୍ର ହଷ୍ଟେଲ ଛାଡି ପାଦରେ ଚାଲିଚାଲି ନିଜ ଗାଆଁକୁ ଯାଇଥିଲେ। ଏହି ଛାତ୍ରମାନେ ବୋଦାପୁଟ ପଞ୍ଚାୟତର ମାଦି ଏବଂ ଆଖପାଖ ଗ୍ରାମର ବୋଲି ପ୍ରକାଶ। ବୈପାରିଗୁଡା ଠାରୁ ପ୍ରାୟ ୭ କିଲୋମିଟର ବାଟ ଚାଲିଚାଲି ଯାଉଥିବା ବେଳେ ବୋଦାପୁଟ ପଞ୍ଚାୟତର ପୂର୍ବତନ ସରପଂଚ ଲକ୍ଷ୍ମୀ କିର୍ସାନୀ କୌଣସି କାମରେ ବୈପାରିଗୁଡା ଆସି ଅଟୋ ଯୋଗେ ବୋଦାପୁଟ ଫେରୁଥିବା ବେଳେ ପିଲାମାନଙ୍କୁ ଦେଖି ସେମାନଙ୍କୁ ଅଟକେଇ ଘରକୁ ଫେରୁଥିବାର କାରଣ ପଚାରିଥିଲେ।

ତେବେ ୧୪ ଜଣ ଛାତ୍ର ହଷ୍ଟେଲରେ ରହୁଥିବା ଅବ୍ୟବସ୍ଥା ସବୁକୁ ଜଣାଇଥିଲେ। ଠିକ୍ ଭାବେ ଖାଇବାକୁ ନଦେବା ସହ ସେମାନଙ୍କ ପେଟ ପୁରୁ ନଥିବା ପ୍ରକାଶ କରିଥିଲେ। ସପ୍ତାହରେ ଥରେ ମାଂସ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଯାହା ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। ସନ୍ଧ୍ୟା ସମୟରେ ଜଳଖିଆ ବାବଦକୁ ଗୋଟିଏ ୫ ଟଙ୍କିଆ ବିସ୍କୁଟ ଦୁଇ ଜଣକୁ ଖାଇବାକୁ ଦିଆ ଯାଉଥିବା କହିଥିଲେ। ଗତ ତିନି ମାସ ଧରି ମୁଣ୍ଡରେ ଲଗାଇବା ତେଲ କିମ୍ବା ଗାଧୋଇବା ପାଇଁ ସାବୁନ୍ ସେମାନଙ୍କୁ ଦିଆଯାଉନଥିବା ମଧ୍ୟ ପ୍ରକାଶ କରିଥିଲେ।

ତେବେ ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କିର୍ସାନୀ ପିଲାଙ୍କୁ ନିଜ ଅଟୋ ଯୋଗେ ବୋଦାପୁଟ ଯାଏ ନେବାପରେ ହୋଟେଲରେ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ। ଏଥିସହ ବୋଦାପୁଟ ସରପଞ୍ଚ ଯମୁନା ନାୟକଙ୍କ ସହ ମିଶି ସେମାନଙ୍କ ଗ୍ରାମ ମାଦି ଠାରେ ପହଞ୍ଚାଇବା ପରେ ପିଲାମାନେ ନିଜ ନିଜ ଘରକୁ ଫେରିଥିଲେ। ଏମାନଙ୍କ ମଧ୍ୟରେ ୫ମ ଶ୍ରେଣୀରେ ୪ ଜଣ, ୪ର୍ଥ ଶ୍ରେଣୀରେ ୪ ଜଣ, ୩ୟ ଶ୍ରେଣୀର ଜଣେ, ୨ୟ ଶ୍ରେଣୀର ୩ ଜଣ ଏବଂ ପ୍ରଥମ ଶ୍ରେଣୀର ୨ ଜଣ ରହିଥିବା ଜଣାପଡିଛି। ତେବେ ଆଦିବାସୀ ସଂପ୍ରଦାୟର ପିଲାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ସହ ହଷ୍ଟେଲର ବ୍ୟବସ୍ଥା କରି ଶିକ୍ଷିତ କରିବା ପାଇଁ ଯୋଜନା କରୁଥିବା ବେଳେ ଏଭଳି ଅବ୍ୟବସ୍ଥାକୁ ବୋଦାପୁଟର ପୂର୍ବତନ ସରପଂଚ ଲକ୍ଷ୍ମୀ କିର୍ସାନୀ କ୍ଷୋଭ ପ୍ରକାଶ କରିଛନ୍ତି।

Spread the love