୧୦୪ତମ ବିଜୁ ଜୟନ୍ତୀ ସମାରୋହ ପକ୍ଷବ୍ୟାପୀ ପାଳନ କରିବ ବିଜୁ ଜନତା ଦଳ

 

ଭୁବନେଶ୍ୱର, ପ୍ରବାଦ ପୁରୁଷ ରାଷ୍ଟ୍ରନୀତିଜ୍ଞ ଇଣ୍ଡୋନେସିଆର ଭୂମିପୁତ୍ର ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ୍ ରଥୀ ଓଡ଼ିଶା ବିକାଶ ଭିତିଭୂମିର ଅନନ୍ୟ ସ୍ଥପତି ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଆସନ୍ତା ମାର୍ଚ୍ଚ ୫ ଠାରୁ ୧୫ଦିନ ବ୍ୟାପି ଗୋଟିଏ ପକ୍ଷ ଧରି ବିଜୁ ଜନତା ଦଳ ଓ ତାର ଛାମୁଆ ସଂଗଠନର କାର୍ଯ୍ୟକର୍ତା, ସଦସ୍ୟ ସଦସ୍ୟା ଓ ଶୁଭେଚ୍ଛୁ ଜନସାଧାରଣଙ୍କୁ ନେଇ ପାଳନ କରିବ ବୋଲି ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ ଓ ଶ୍ରୀମତୀ ଉଷା ଦେବୀ ରାଜ୍ୟ ବିଜୁ ଜନତା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ସଦିଚ୍ଛାରେ ନବୀନ ବାବୁଙ୍କ ନେତୃତ୍ୱରେ ଗଠିତ ସରକାର ମଧ୍ୟ ବିଜୁ ଜୟନ୍ତୀରେ ୨୦ବର୍ଷ ପୂରଣ କରିବ । ଏହି ପକ୍ଷ ପାଳନ ଅବସରରେ ବିଜୁ ବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଶାର ବିକାଶ ଯାତ୍ରା ସମ୍ପର୍କରେ ମଧ୍ୟ ଜନ ସାଧାରଣଙ୍କୁ ଅବଗତ କରାଯିବ । ସ୍ୱାଧୀନତା ସଂଗ୍ରାମର ରଥୀମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଗାଁକୁ କାମ ମା’କୁ ସମ୍ମାନ ବିଜୁ ବାବୁଙ୍କ ଥିଲା ଆହ୍ୱାନ । ଆଜି ବିଜୁ ଜନତା ଦଳ, ନବୀନ ବାବୁଙ୍କ ନେତୃତ୍ୱରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନେଇଥିବା କାର୍ଯ୍ୟକ୍ରମ ଏକ ନୀରବ ବିପ୍ଳବ ସୃଷ୍ଟି କରିଛି । ତେଣୁ ଏହି ପକ୍ଷ ପାଳନ ଅବସାରେ ବିଜୁ ମହିଳା ଦଳ ପକ୍ଷରୁ ମାର୍ଚ୍ଚ ୮ ତାରିଖ ଆନ୍ତର୍ଗାତିକ ମହିଳା ଦିବସଠାରୁ ମହିଳାମାନଙ୍କ ସମ୍ମିଳନୀ କରାଯାଇ ମହିଳାମାନଙ୍କ ବିକାଶ ଆଲୋଚନା ସହିତ ଗ୍ରାମାଂଚଳ ଓ ସହରାଂଚଳରେ ଥିବା ବିଭିନ୍ନ କ୍ଷେତ୍ରରେ କୃତବିଦ୍ୟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କୁହାଯାଇଛି ।

ଦଳର ଛାମୁଆ ସଂଗଠନମାନେ ଏଥିରେ ସାମିଲ ହେବେ ଓ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ରକ୍ତଦାନ ଭଳି ସାମାଜିକ ପ୍ରତିବଦ୍ଧତାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାର୍ଚ୍ଚ ୫ଠାରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଜୟନ୍ତୀ ଠାରୁ ଶ୍ରାଦ୍ଧ ଦିବସ ଯାଏଁ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ଗୁଡିକ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବ୍ଲକ ଓ ନଗରାଂଚଳରେ ହେବାପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି ।

Spread the love