ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; କାଳିଆ ଦର୍ଶନରୁ ବଞ୍ଚିତ ଭକ୍ତ ବ୍ୟଥିତ

ଦିନକ ପରେ ମହାପ୍ରଭୁଙ୍କର ହେବ ସ୍ନାନଯାତ୍ରା। ୧୦୮ ଗରାରେ ଦିବ୍ୟସ୍ନାନ କରିବେ ମହାପ୍ରଭୁ। ହେଲେ ଏଥର ମହାପ୍ରଭୁଙ୍କର ଏହି ନୀତିକୁ ଦେଖି ପାରିବେନି ଭକ୍ତ। ଯାହାକୁ ନେଇ ଭକ୍ତ ନିରାଶ ଓ ବ୍ୟଥିତ। କାରଣ ଭକ୍ତ ଓ ଭଗବାନଙ୍କ ଭିତରେ ବିରାଟ ବାଧକ ସାଜିଛି ମହାମାରୀ ‘କରୋନା’ କଟକଣା। ଦୀର୍ଘ ୨ମାସ ଧରି ରତ୍ନ ସିଂହାସନରେ କାଳିଆ ଠାକୁରଙ୍କୁ ଦର୍ଶନ ନପାଇ କେବଳ ନୀଳଚକ୍ର ଦର୍ଶନରେ ଆତ୍ମତୃପ୍ତି ଲାଭ କରିଥିଲେ। ଭାବିଥିଲେ ସ୍ନାନବେଦୀରେ ମହାପ୍ରଭୁଙ୍କ ଚକା ନୟନ ଦେଖିବେ। ହେଲେ ସେଠୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତେଣେ ଭକ୍ତଶୂନ୍ୟ ସ୍ନାନଯାତ୍ରା ପାଇଁ ପ୍ରଶାସନର ଜୋରଦାର ପ୍ରସ୍ତୁତି ଚାଲିଛି। ମେଘନାଦ ପାଚେରୀ ସଲଗ୍ନ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ବିଭିନ୍ନ ସାହିର ପ୍ରବେଶ ପଥକୁ ସିଲ୍‌ କରିବାକୁ ବାଉଁଶ ପୋତି ବ୍ୟାରିକେଡ୍‌ ନିର୍ମାଣ ଚାଲିଛି। ପୂର୍ବ ନିଷ୍ପତ୍ତି ମୁତାବକ ଆସନ୍ତାକାଲି ରାତି ୧୦ରୁ ୬ ତାରିଖ ଭୋର ୨ଟା ଯାଏଁ ପୁରୀରେ ଜାରି ହୋଇଯିବ ୧୪୪ ଧାରା। ଭକ୍ତଙ୍କୁ ବଡ଼ଦାଣ୍ଡ ବାରଣ କରାଯାଇଥିବାରୁ ଏଥର ସ୍ନାନଯାତ୍ରା ଟେଲିଭିଜନରେ ଦେଖାଇବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ସେପଟେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ଅନବସର ନୀତି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ ହୋଇଥିବା ବେଳେ ବିଳମ୍ବିତ ରାତ୍ରିରୁ ଆରମ୍ଭ ହେବ ଠାକୁରଙ୍କ ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି। ସେଥିଲାଗି ସତ୍ୟବାଦୀରୁ ବଉଳକାଠ ପହଞ୍ଚି ସାରିଛି। ଅନ୍ୟପଟେ ସ୍ନାନଯାତ୍ରାର ଅନ୍ୟତମ ଆକର୍ଷଣ ଶ୍ରୀଜିଉଙ୍କ ହାତୀବେଶ ଲାଗି ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି। ପରମ୍ପରା ମୁତାବକ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ହାତୀବେଶ ସାମଗ୍ରୀ ଓ ଟାହିଆ ରାଘବଦାସ ମଠ ଯୋଗାଉଥିବା ବେଳେ ସୁଭଦ୍ରାଙ୍କ କମଳ ବେଶ ସହ ସୁଦର୍ଶନଙ୍କ ବେଶ ସାମଗ୍ରୀ ଯୋଗାଇଥାଏ ଗୋପାଳତୀର୍ଥ ମଠ। ତେଣୁ ଜଗନ୍ନାଥ ଓ ବଳଭଦ୍ରଙ୍କ ପାଇଁ ଥୋଡ଼ହସ୍ତ, ଅଧର ତୋରଣ, ଗଜଖୁମ୍ବ, ଆଡ଼କାନୀ, ନାକୁଆସି ଓ ଆକର୍ଷଣୀୟ ଚିତା ତିଆରିରେ ନିମଗ୍ନ ରଣା ସେବକ।ତେଣେ ରଥଖଳାରେ ମଧ୍ୟ ଜୋରସରରେ ନିର୍ମାଣ କାମ ଆଗେଇ ଚାଲିଛି। ସ୍ନାନପୂର୍ଣ୍ଣମୀର ବହୁ ପୂର୍ବରୁ ଚାରି ନାହାକା ଉଠି ସାରିଥିବା ବେଳେ ଏବେ ପାର୍ଶ୍ୱ ନିରାଡ଼ି, ପୋଲ ଗୟଳ କାମ ସହ ୧୪ ନାହାକା ଓ ପରେ ଭୂଇଁ ତିଆରି ହେବ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା।

Spread the love