ଟ୍ରକ୍‌କୁ ପିଟିଲା ବସ୍‌, ୧୪ ମୃତ

ଉତ୍ତର ପ୍ରଦେଶର ଫିରୋଜାବାଦରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ଭାଦନରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ବସ୍‌ ଧକ୍କା ଦେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଇଟାୱାସ୍ଥିତ ସାଇଫାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଏହି ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ସ୍ଲିପର୍‌ କୋଚ୍‌ ବସ୍‌ଟି ଦିଲ୍ଲୀରୁ ମୋତିହାରୀ(ବିହାର) ଅଭିମୁଖେ ଯାଉଥିଲା। ହେଲେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେର ଭାଦନରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ବସ୍‌ଟି ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଜୋରରେ ଥିଲା ଯେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ବସ୍‌ରେ ୪୦-୪୫ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ସାଇଫାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାର ସଠିକ୍‌ କାରଣ ଜଣା ପଡ଼ି ନ ଥିଲେ ମଧ୍ୟ ବସ୍‌ ଚାଳକଙ୍କ ଆଖି ଲାଗିଯିବାରୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Spread the love