ଆଇପିଏଲ୍ : ଚେନ୍ନାଇ ଆଗରେ ୧୫୮ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୨ତମ ମ୍ୟାଚରେ ଚେନ୍ନାଇ ଆଗରେ ୧୫୮ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଚେନ୍ନାଇ ଟସ ଜିତି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ ଓ ପ୍ରଥମ ଓ୍ବିକେଟ ଯୋଡ଼ିରେ ୩୮ରନ ଯୋଗ କରିଥିଲେ । ରୋହିତ ୨୧ରନ ଓ ଇଶାନ କିଷନ ୩୮ ରନ କରି ଆଉଟ ହୋଇଥିଲେ । ତେବେ ଦଳର ମଧ୍ୟକ୍ରମ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲା । କାମେରନ ଗ୍ରୀନ ୧୨ ରନ ଓ ସୂର୍ଯ୍ୟକୁମାର ଯାଦବ ୧ ରନ କରି ଆଉଟ ହୋଇଥିଲେ । ଏହା ଫଳରେ ଦଳର ରନଗତି ଧୀମେଇ ଯାଇଥିଲା । ତେବେ ତିଲକ ବର୍ମାଙ୍କ ୨୨ରନ, ଟିମ ଡେଭିଡଙ୍କ ୩୧ ରନ  ଓ ହ୍ରିତିକ୍ ସୋକିନଙ୍କ ୧୮ରନ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୭ ରନ କରିଥିଲା ।

ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ସାଣ୍ଟନର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସିସାଣ୍ଡା ମାଗଲା ୧ଟି ଓ୍ବିକେଟ ନେଇଥିଲେ ।

Spread the love