ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୧୭ ଦିନ : କେବେ ପ୍ରେସମିଟ କରିବ କ୍ରାଇମବ୍ରାଞ୍ଚ ? ହତ୍ୟାକାଣ୍ଡର ରହସ୍ୟ ଉପରୁ ହଟାଇବ ପରଦା ?

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୧୭ ଦିନ ହେଲା । କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି । ଗୁଳିକାଣ୍ଡ ଦିନଠୁ ଯେଉଁ ପ୍ରଶ୍ନ ଉଠିଥିଲା, ସେହି ପ୍ରଶ୍ନର ଉତ୍ତର ଆଜି ବି ମିଳି ନାହିଁ । ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ, ଏହା ପଛର କାରଣ କଣ, ତାର ଖୁଲାସ କ୍ରାଇମବ୍ରାଞ୍ଚ ଏବେ ବି କରିନାହିଁ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ପୁଣି ଅଭିଯୁକ୍ତକୁ ରିମାଣ୍ଡରେ ନେଇନଥିବାରୁ ଗୁଳିକାଣ୍ଡର କାରଣ ଜାଣି ସାରିଥିବା ଅନୁମାନ କରାଯାଉଛି ।

ତେଣୁ ପ୍ରଶ୍ନ ଉଠୁଛି କ୍ରାଇମବ୍ରାଞ୍ଚ କେବେ ପ୍ରେସମିଟ କରିବ ? କେବେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟାଇବ ? କ୍ରାଇମବ୍ରାଞ୍ଚର ଦକ୍ଷ ଅଫିସର ମାମଲାର ତଦନ୍ତ କରୁଥିବା ବେଳେ ୧୭ଦିନ ପରେ ବି କାହିଁକି ମନ୍ତ୍ରୀଙ୍କୁ ହତ୍ୟା ପଛର ରହସ୍ୟ ଖୁଲାସା କରାଯାଉ ନାହିଁ । ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଗୋପାଳ ଦାସଙ୍କୁ ତିନି ଥର ରିମାଣ୍ଡରେ ନେଇ ତୁହାକୁ ତୁହା ଜେରା କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍ । ଗୋପାଳ ବାରମ୍ବାର ବୟାନ ବଦଳାଉଥିବାରୁ ସତମିଛ ଧରିବା ପାଇଁ କୋର୍ଟଙ୍କ ଅନୁମତି ନେଇ ଗୁଜରାଟ ନିଆଯାଇଥିଲା । ଗାନ୍ଧୀନଗରରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ବି କରାଯାଇଛି । ହେଲେ ଏହି ଟେଷ୍ଟରୁ କ୍ରାଇମବ୍ରାଞ୍ଚକୁ କଣ ମିଳିଲା ? ଗୋପାଳ ଜେରା ବେଳେ ଗୁଳି ମାରିବା ପଛର କାରଣ କଣ କହୁଛି ? ଏ ସମ୍ପର୍କରେ କିଛି କହୁନାହିଁ କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଗଣମାଧ୍ୟରେ ମନ୍ତ୍ରୀଙ୍କୁ ହତ୍ୟା ପଛର କାରଣକୁ ନେଇ ଭିନ୍ନ ଭିନ୍ନ ଥିଓରି ଉପର୍ ଚର୍ଚ୍ଚା ହେଉଛି । କିନ୍ତୁ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ନିରବ ରହିଛି ।

Spread the love