ଓଡ଼ିଶାରେ U-17 ମହିଳା ବିଶ୍ୱକପ୍ : ପ୍ରଥମ ମ୍ୟାଚ୍ରେ ମରକୋକୁ ହରାଇ ବ୍ରାଜିଲ ବିଜୟୀ
କମ୍ପୁଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହୋଇଛି ଅଣ୍ଡର-17 ମହିଳା ଫିଫା ବିଶ୍ୱକପ୍ । ପ୍ରଥମ ମ୍ୟାଚ୍ରେ ମରକୋକୁ ହରାଇ ବିଜୟୀ ହୋଇଛି ବ୍ରାଜିଲ । ୧-୦ରେ ମରକ୍କୋକୁ ହରାଇଲା ବ୍ରାଜିଲ। ଭାରତ-ଆମେରିକା ମଧ୍ୟରେ ମ୍ୟାଚ୍ ଚାଲିଛି । ପ୍ରଥମ ଥର ଭାରତୀୟ ଦଳ ଏହି ବିଶ୍ୱକପରେ ଅଂଶଗ୍ରହଣ କରିଛି । ଶକ୍ତିଶାଳୀ ବ୍ରାଜିଲ ଓ ଆମେରିକା ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ୪ଟି ଗ୍ରୁପରେ ୧୬ଟି ଦେଶର ଖେଳାଳିଙ୍କ ମଧ୍ୟରେ ହେବ ଟକ୍କର । କଳିଙ୍ଗ ଷ୍ଟାଡିୟମରେ ୩ଟି ମ୍ୟାଚ ଖେଳାଯିବ । ଫୁଟ୍ବଲ୍ ବିଶ୍ୱକପ ପାଇଁ ଷ୍ଟାଡିୟମ୍ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ୱାର୍ଲଡ କପ୍ ପରେ ଏବେ ଫିଫା ବିଶ୍ୱକପ୍ ଆୟୋଜନ କରାଯାଇଛି। ଆଗକୁ ୨୦୨୩ ଜାନୁଆରୀରେ ହେବ ପୁରୁଷ ହକି ବିଶ୍ୱକପ୍।
ଆମେରିକାଠାରୁ ଭାରତର ଶୋଚନୀୟ ପରାଜୟ
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟ୍ବଲ୍ର ଦ୍ୱିତୀୟ ମ୍ୟାଚରେ ଆଜି ଭାରତକୁ ୮-୦ ଗୋଲ୍ରେ ଆମେରିକା ପରାସ୍ତ କରିଛି । ଶକ୍ତିଶାଳୀ ଆମେରିକା ଆଗରେ ଭାରତୀୟ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଯାହା ଉପସ୍ଥିତ ଦର୍ଶକଙ୍କୁ ମର୍ମାହତ କରିଥିଲା । କୌଣସି କ୍ଷେତ୍ରରେ ଭାରତୀୟ ଖେଳାଳିମାନେ ଆମେରିକା ଦଳର ସମକକ୍ଷ ନଥିଲେ । ନିଜ ଇଚ୍ଛା ମୁତାବକ ଗୋଲ୍ କରି ଆମେରିକା ୮-୦ରେ ବିଜୟୀ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ରଙ୍ଗାରଙ୍ଗ ଆତସବାଜି ଭିତରେ ଆରମ୍ଭ ହୋଇଥିଲା ଏହି ଫୁଟବଲ୍ ମହାକୁମ୍ଭ । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକୁର ଏବଂ ଫିଫା ତଥା ଭାରତୀୟ ଫୁଟ୍ବଲ୍ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।