ଜଳିଗଲା ୟୁକ୍ରେନୀୟ ବିମାନ, ୧୭୦ ମୃତ୍ୟୁ

୨୦୨୦ ମସିହାର ସର୍ବପ୍ରଥମ ବଡ଼ ବିମାନ ଦୁର୍ଘଟଣା ଘଟିଛି ଇରାନର ରାଜଧାନୀ ତେହେରାନରେ। ମଝି ଆକାଶରେ ଜଳିଯାଇଛି ବୋଇଙ୍ଗ୍‌ ୭୩୭ ବିମାନ। ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବିମାନର ସମସ୍ତ ୧୭୦ ଯାତ୍ରୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି। କେହି ଜଣେ ହେଲେ ଜୀବନ ବଞ୍ଚାଇ ପାରି ନାହାନ୍ତି। ବିମାନଟି ଉଡାଣ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଏକ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ୟୁକ୍ରେନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ର ଗୋଟାଏ ବୋଇଙ୍ଗ୍‌ ୭୩୭ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ଫାର୍‌ସ୍‌’ ଖବର ସରବରାହ ସଂସ୍ଥା ବୁଧବାର ଦିନ ଟୁଇଟ୍‌ କରିଛି। ୧୭୦ ଜଣ ଯାତ୍ରୀଙ୍କୁ ନେଇ ଇରାନ୍‌ର ଇମାମ୍‌ ଖୋମିନି ବିମାନ ବନ୍ଦରରୁ ସେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଏହାପରେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ଏଯାବତ୍ ମିଳିଥିବା ସୂଚନା ଅନୁସାରେ ୟୁକ୍ରେନ୍‌ ଇଣ୍ଟର୍‌ନ୍ୟାସନାଲ୍ ଏୟାର୍‌ଲାଇନ୍‌ର ବୋଇଙ୍ଗ୍‌ ୭୩୭-୮୦୦ ବିମାନ ବିମାନଟିର ବୁଧବାର ସକାଳେ ବିମାନ ବନ୍ଦର ଛାଡ଼ିବାର ଅଳ୍ପ କିଛି ମୁହୂର୍ତ୍ତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଆସିଥିଲା। ଇରାନର ରାଜଧାନୀ ତେହେରାନର ଉପାନ୍ତ ଇଲାକା ପରନ୍ଦ ଓ ଶାହରିଆର୍ ମଧ୍ୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ବିମାନ ବନ୍ଦର ନିକଟସ୍ଥ ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଥିବା କଥା ଇରାନ୍‌ର ବେସାମରିକ ବିମାନ ଚଳାଚଳ ସଂସ୍ଥାନର ମୁଖପାତ୍ର ରେଜା ଜାଫର୍‌ଜାଦେ ରାଷ୍ଟ୍ରାୟତ ଟେଲିଭିଜନ୍‌କୁ କହିଛନ୍ତି।ଇରାନ୍‌ ଜରୁରୀକାଳୀନ ସେବାର ମୁଖ୍ୟ ଫିର୍‌ହୁସେନ୍‌ କୁଲିବନ୍ଦ କହିଛନ୍ତି, ବିମାନଟି ଜଳୁଛି, କିନ୍ତୁ ଆମେ ଉଦ୍ଧାରକାରୀ ଦଳ ପଠାଇଛୁ। କେତେକ ଯାତ୍ରୀଙ୍କୁ ଆମେ ବଞ୍ଚାଇ ପାରୁ। ଜ୍ୱଳନ୍ତ ଅବସ୍ଥାରେ ଆକଶରୁ ଖସିପଡ଼ିଥିବା ସେ ବିମାନ ଓ ଦୁର୍ଘଟଣା ସଂକ୍ରାନ୍ତରେ ହଠାତ୍‌ ଅଧିକ କିଛି ତଥ୍ୟ ମିଳି ପାରିନାହିଁ। ଅନ୍ୟପକ୍ଷରେ ଇରାନ୍ ଇରାକସ୍ଥିତ ଆମେରିକାର ସାମରିକଘାଟୀ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାର କିଛି ସମୟ ପରେ ଏହି ବିମାନ ଦୁର୍ଘଟଣା ଘଟିଛି। ଇରାକ୍‌ର ପଶ୍ଚିମରେ ଥିବା ଅନବର ପ୍ରଦେଶର ‘ଆଇନ ଅସାଦ’ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା କଥା  ବୁଧବାର ସକାଳେ ଇରାନ୍‌ର ବିପ୍ଳବୀ ସଂଗଠନ ‘ରିଭୋଲ୍ୟୁସନାରି ଗାର୍ଡ’ କହିଥିଲା। ଏଥିସହ ‘ରିଭୋଲ୍ୟୁସନାରି ଗାର୍ଡ’ ପକ୍ଷରୁ କୁହାଯାଇଥିଲା,  ଆମେରିକାର ସମସ୍ତ ମିତ୍ରରାଷ୍ଟ୍ରମାନଙ୍କୁ ଚେତାବନୀ ଦେଉଛୁ- ଯେଉଁମାନଙ୍କ ଏୟାର୍‌ବେସ୍‌ରୁ ଇରାନ୍‌ ଉପରେ ଆକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହେବ, ଆମେ ସେଠାରେ ଆକ୍ରମଣ କରିବୁ।

Spread the love