୧୭୨ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣା କଲେ ନବରଙ୍ଗପୁର ଜିଲ୍ଲାପାଳ

ନବରଙ୍ଗପୁର : ଆଦିବାସୀ ଅଧୂଷିତ ନବରଙ୍ଗପୁର ଜିଲ୍ଲାରରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାଏମ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା । ତେବେ ଜିଲ୍ଲାରେ ଏହି ଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ ।

ସମଗ୍ର ନବରଙ୍ଗପୁର ଜିଲ୍ଲାକୁ ୨୦୨୪ ମସିହା ସୁଦ୍ଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଏହି ଅନ୍ଵେଷା ଅଭିଯାନ ଆରମ୍ଭ ହୋଇଛି ।ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯିବା ନିମନ୍ତେ ପ୍ରୟାସ ଜାରି ରହିଛି । ବିଶେଷ କରି ଗ୍ରାମଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବରମାନଙ୍କ ସହିତ ବାଲ୍ୟ ବିବାହର କୁପରିଣାମ ବାବଦରେ ବୈଠକ, ବାଲ୍ୟବିବାହ ମୁକ୍ତ ଗ୍ରାମଗଠନ ବାବଦରେ ସଚେତନତା ସୃଷ୍ଟି କରାଯାଉଛି ।

ଏତତ୍ ବ୍ୟତୀତ ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲାର ମୋଟ ୧୭୨ଟି ଗ୍ରାମକୁ ଆନୁଷ୍ଠାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ସମଗ୍ର ନବରଙ୍ଗପର ଜିଲ୍ଲାରେ ଗତବର୍ଷ ନଭେମ୍ବର ମାସରେ ୫ଟି ଗ୍ରାମ , ଚଳିତ ବର୍ଷ ଏପ୍ରିଲ ମାସରେ ୪୭ ଗ୍ରାମ, ମେ ମାସରେ ୩୬ ଗ୍ରାମ ଓ ଜୁଲାଇ ମାସରେ ୮୪ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଅଦ୍ୟାବଧି ଘୋଷଣା କରାଯାଇଛି । ସେହିପରି ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ୟୁନିଟି ଓ ଚାଇଲ୍ଡ ଲାଇନର ମିଳିତ ସହଯୋଗରେ ଚଳିତ ବର୍ଷ ଜିଲ୍ଲାରେ ମୋଟ ୧୧୯ଟି ବାଲ୍ୟ ବିବାହକୁ ରୋକାଯାଇ ପାରିଛି । ସେଥିମଧ୍ୟରୁ ଉମରକୋଟ ବ୍ଲକରେ ସର୍ବାଧିକ ୫୫ଟି , ରାଇଘର ବ୍ଲକରେ ୨୫ଟି, ଚନ୍ଦହାଣ୍ଡି ବ୍ଲକରେ ୩ଟି, ଝରିଗ୍ରାମ ବ୍ଲକରେ ୧୫ଟି, ଡାବୁଗାଁ ବ୍ଲକରେ ୪ଟି, ପାପଡାହାଣ୍ଡି ବ୍ଲକରେ ୫ଟି, କୋଷାଗୁମୁଡା ବ୍ଲକରେ ୩ଟି, ନବରଙ୍ଗପୁର ବ୍ଲକରେ ୩ଟି ,ତେତୁଲିଖୁଣ୍ଟି ବ୍ଲକରେ ୩ଟି ଏବଂ ନନ୍ଦାହାଣ୍ଡି ବ୍ଲକରେ ତିନୋଟି ବାଲ୍ୟ ବିବାହକୁ ବନ୍ଦ କରାଯାଇଛି ।

Spread the love