ବିପଦରେ ୫୫% ଉପକୂଳ: କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସମ୍ୱେଦନଶୀଳ

ଭୁବନେଶ୍ୱର,୧୪/୦୯: ୧୧ ତାରିଖ ପୂର୍ବାହ୍ନରେ ଅଶାନ୍ତ ସମୁଦ୍ର ମାଡ଼ି ଆସିଲା । ଜୁଆର ମାଡ଼ରେ ପୁରୀ- କୋଣାର୍କ ବେଳାଭୂମି ରାସ୍ତା କଡ଼ ରାମଚଣ୍ଡୀ ମୁହାଣରେ ପ୍ରାୟ ୨୦୦ ମିଟର ସୁରକ୍ଷା ପ୍ରାଚୀର ଭାସିଗଲା । ଜଗତସିଂହପୁର ଜିଲ୍ଲା ସିଆଳି ବେଳାଭୂମି ମଧ୍ୟ ଜୁଆର ମାଡ଼ରେ କ୍ଷତିବିକ୍ଷତ ହୋଇପଡ଼ିଛି । ଏଠାରେ ଥିବା ଭ୍ୟୁ ଟାୱାର ଯେ କୌଣସି ମୁହୂର୍ତ୍ତରେ ଭାସି ଯାଇପାରେ । ନେହରୁ ବଙ୍ଗଳାରେ ମହାନଦୀ ମୁହାଣକୁ ମଧ୍ୟ ଉଗ୍ର ସମୁଦ୍ର ଧୋଇ ନେଇଛି । ଏଠାରେ ଥିବା ମନ୍ମଥ ଉଦ୍ୟାନ ପାଖ କଂକ୍ରିଟ୍ ଖୁମ୍ବ ସମୁଦ୍ରରେ ଲୀନ ହୋଇଯାଇଛି । ସମୁଦ୍ର ଏତେ ଅଶାନ୍ତ ହୋଇଛି ଯେ ଜୁଆର ପଥର ପ୍ୟାକିଂ ଡେଇଁ ଅନେକ ଗଛ ଭସାଇ ନେଇଛି ।

ଗଂଜାମ ଜିଲ୍ଲା ପୋଡ଼ମପେଟାରେ ମଧ୍ୟ ସମାନ ସ୍ଥିତି । ପୂର୍ବରୁ ଏହି ଗାଁର ଅଧା ସମୁଦ୍ର ଗର୍ଭରେ ହଜି ଯାଇଥିଲା । ଆଉ ରବିବାର ଦିନ ଝାଉଁ ଓ କାଜୁ ଜଙ୍ଗଲ ଧୋଇ ଯାଇଛି । ପୋଡ଼ମପେଟା ଗାଁରେ ଥିବା ବାକି ଘର ଏବେ ସମୁଦ୍ର ଆଁରେ । ଏହା ପାଖ କଣ୍ଟିଆଗଡ଼ ଓ ବଟେଶ୍ୱର ପୀଠ ମଧ୍ୟ ଯେକୌଣସି ସମୟରେ ସମୁଦ୍ର ବକ୍ଷରେ ହଜିଯାଇପାରେ ।

ଗତ ୩ ଦିନର ଚିତ୍ର ବର୍ଣ୍ଣନା କରୁଛି ଯେ ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶା ଉପକୂଳକୁ ବିପଦ କିପରି ଘନେଇବାରେ ଲାଗିଛି ।
ରାଜ୍ୟର ୪୮୦ କିଲୋମିଟର ଉପକୂଳର ୫୫ ପ୍ରତିଶତ ଅଞ୍ଚଳ ଏବେ ବିପଦରେ । ସେଥିରୁ ୨୮% ଅଞ୍ଚଳକୁ ମାତ୍ରାଧିକ ବିପଦ ରହିଛି । ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକକୁ ସର୍ବାଧିକ ବିପଦ ରହିଛି । ପୁରୀ, ଗଂଜାମ ଓ ଜଗତସିଂହପୁର ଜିଲ୍ଲା ଉପକୂଳ ଅପେକ୍ଷାକୃତ କମ୍ ବିପଦ ଜୋନରେ ରହିଛି ।

ବଦଳୁଥିବା ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ରାଜ୍ୟର କୃଷି ଅର୍ଥନୀତି, ମତ୍ସ୍ୟସମ୍ପଦ ଓ ଉପକୂଳବର୍ତ୍ତୀ ଜନବସତି ବିଶେଷ ପ୍ରଭାବିତ ହେଉଛି । ଏହାର ମୁକାବିଲା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି । ୨୦୨୧ରୁ ୨୦୩୦ ପର୍ଯ୍ୟନ୍ତ ଏହି ଆକ୍ସନ୍ ପ୍ଲାନ୍ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।

ଏହି ରିପୋର୍ଟରେ ୬ଟି ଜିଲ୍ଲାରେ ସମୁଦ୍ର କୂଳରେ ଥିବା ମୋଟ ୩୧୮ଟି ଗାଁକୁ କେତେ ବିପଦ ଅଛି ସର୍ଭେ କରାଯାଇଛି । ସେଥିରୁ ଜଣାପଡ଼ିଛି ୯୧ଟି ଗାଁ ସ୍ଥିତି ଅତ୍ୟଧିକ ବିପଦ ଜୋନ୍ରେ ରହିଛି । ସେଥିରୁ କେନ୍ଦ୍ରାପଡ଼ାରେ ସର୍ବାଧିକ ୪୯ଟି ଗାଁ ଅଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୮ଟି ଲେଖାଏଁ ଏବଂ ଗଂଜାମ ଜିଲ୍ଲାରେ ୪ଟି ଗାଁ ରହିଛି । ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ଗାଁ ଏହି ଜୋନ୍ରେ ।

କେନ୍ଦ୍ରାପଡା ଜିଲ୍ଲାର ସାତଭାୟା ଗାଁ ଯେମିତି ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି, ଏହି ୯୧ଟି ଗାଁ ନିକଟ ଭବିଷ୍ୟତରେ ସମୁଦ୍ର ଆଁରେ ଧ୍ୱଂସ ହୋଇଯିବେ । ଏଭଳି ଆଶଙ୍କା ପ୍ରକାଶ ପାଇଛି ରିପୋର୍ଟରେ । ସେହିପରି ୮୫ଟି ଗାଁ ଅଧିକ ବିପଦ ଜୋନରେ ରହିଛି । ସେଥିରୁ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୩୩ଟି, ଭଦ୍ରକରେ ୨୨ଟି ଓ କେନ୍ଦ୍ରାପଡ଼ାର ୨୨ଟି ଗାଁ ଅନ୍ତର୍ଭୁକ୍ତ । ଜଗତସିଂହପୁରର ୫ଟି, ପୁରୀର ଗୋଟିଏ ଗାଁ ଥିବା ବେଳେ ଗଂଜାମ ଜିଲ୍ଲାର କୌଣସି ଗାଁ ଏହି ତାଲିକାରେ ନାହିଁ । ଅବଶିଷ୍ଟ ୧୪୨ଟି ଉପକୂଳ ଗାଁକୁ ମଧ୍ୟମ କିମ୍ବା କମ୍ ବିପଦ ତାଲିକାରେ ରଖାଯାଇଛି ।

ରିପୋର୍ଟରେ ଦର୍ଶାଯାଇଛି ଓଡ଼ିଶା ଉପକୂଳରେ ୩୬.୯% ସ୍ଥାନରେ ସମୁଦ୍ର କୂଳ ଖାଇ ଚାଲିଛି । ଏଠାରେ ଉପକୂଳ କ୍ଷୟ ହୋଇ ଚାଲିଛି । ୫୨.୭% ସମୁଦ୍ର କୂଳରେ ବାଲି ଓ ପଟୁମାଟି ଜମା ହୋଇ ଚାଲିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ତଟ ଅବକ୍ଷୟ ଓ ଭଦ୍ରକ ଜିଲ୍ଲାରେ ପଟୁମାଟି ଜମା ଅଧିକ ଦେଖିବାକୁ ମିଳୁଛି । ଗୋପାଳପୁରରୁ ଚିଲିକା ପର୍ଯ୍ୟନ୍ତ ସମୁଦ୍ର ତଟ ସ୍ଥିର ରହୁଛି । ପାରାଦୀପରୁ ଧାମରା ପର୍ଯ୍ୟନ୍ତ ଉପକୂଳ ଅତ୍ୟଧିକ ସମ୍ବେଦନଶୀଳ । ଏହା ବିପର୍ଯ୍ୟୟକୁ ଡାକି ଆଣୁଛି । ସେହିପରି ଋଷିକୂଲ୍ୟା ମୁହାଣ ପାଖରେ ସମୁଦ୍ର ବିପଦଜ୍ଜନକ ଅବସ୍ଥାରେ ରହିଛି । ରାମାୟାପାଟନମ୍, ବଡ଼ ନୋଳିଆ ନୂଆଗାଁ ଏବେ ବିପର୍ଯ୍ୟୟ ମୁହଁରେ । ଏହି ଗାଁଗୁଡିକୁ ସ୍ଥାନାନ୍ତର ବ୍ୟତୀତ ଅନ୍ୟ ଉପାୟ ନାହିଁ ।

ଓଡ଼ିଶାରେ ୩୦% ଉପକୂଳ ସମୁଦ୍ର ପତ୍ତନଠାରୁ ୫ ମିଟର ଉଚ୍ଚ ବା କମ୍ ଥିବାରୁ ଏଠାରେ ଅବକ୍ଷୟ ସର୍ବାଧିକ ଦେଖିବାକୁ ମିଳୁଛି । ଅଧିକ ଉଚ୍ଚର ଜୁଆର ଆସିଲେ କୂଳ ଧୋଇ ଯାଉଛି । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ଅଧିକ ଦେଖିବାକୁ ମିଳୁଥିବା ବେଳେ ପୁରୀ ଓ ଗଂଜାମରେ କମ୍ ରହିଛି । ଉତ୍ତର ବାଲେଶ୍ୱରରେ ସମୁଦ୍ର ତଟରେ ବହୁତ ଜନବସତି ଓ ଚାଷ ଜମି ରହିଛି । ଏଗୁଡ଼ିକ ପ୍ରତି ମଧ୍ୟ ଲୁଣା ଜଳର ବିପଦ ମାଡ଼ି ଆସୁଛି । ବାଲୁଖଣ୍ଡ ଅଭୟାରଣ୍ୟ ଓ ଚିଲିକା ହ୍ରଦ ଯୋଗୁଁ ପୁରୀ ଜିଲ୍ଲା ଉପକୂଳ ବିପଦମୁକ୍ତ ରହିଛି । କିନ୍ତୁ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରକୁ ଭବିଷ୍ୟତରେ ବିପର୍ଯ୍ୟୟ ଆସିପାରେ ।
ଏହି ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏହି ଆକ୍ସନ ପ୍ଲାନରେ ଅନେକ ପ୍ରସ୍ତାବ ଓ କାର୍ଯ୍ୟକ୍ରମ ରଖାଯାଇଛି । ଯାହା କି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ କାର୍ଯ୍ୟକାରୀ ହେବାକୁ ଯାଉଛି । ସମୁଦ୍ର ପତ୍ତନରୁ କମ୍ ଉଚ୍ଚତାରେ ଥିବା ଉପକୂଳ ସୁରକ୍ଷା ପାଇଁ ଲୁଣା ବନ୍ଧ ନିର୍ମାଣ ହେବାକୁ ଯାଉଛି । ବାତ୍ୟା ସମୟରେ ଏହି ଅଞ୍ଚଳକୁ ଲୁଣା ପାଣି ମାଡ଼ି ଯାଇ ବ୍ୟାପକ କ୍ଷତି କରୁଛି । ଲୁଣାବନ୍ଧ ଏଥିରୁ ସୁରକ୍ଷା ଦେବ । ସେହିପରି ଉପକୂଳରେ ଅଧିକ ହେନ୍ତାଳ ବଣ ସୃଷ୍ଟି ସହ ଉପକୂଳବର୍ତ୍ତୀ ଜୈବମଣ୍ଡଳର ସୁରକ୍ଷା ପାଇଁ ଯୋଜନା କରାଯାଇଛି ।

ପାରାଦୀପର ଦକ୍ଷିଣରେ ସମୁଦ୍ର ତଟରେ ବାଲି ଓ ପଟୁମାଟି ଜମା ବୃଦ୍ଧି ପାଇବାରେ ଲାଗିଛି । ଏଥି ଯୋଗୁଁ ପେଣ୍ଠ ଓ ଗହିରମଥା ପ୍ରତି ବିପଦ ବଢ଼ୁଛି । ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ଏଠାରେ ସୁରକ୍ଷା ପ୍ରାଚୀର ନିର୍ମାଣ ସମ୍ଭବ ନୁହେଁ । ତେଣୁ ଏଠାରେ ଅନ୍ୟ କୌଶଳ ଅବଲମ୍ବନ ପରାମର୍ଶ ଦିଆଯାଇଛି । ଚିଲିକା ହ୍ରଦ ମୁହାଣ ଖନନ ଜରୁରି ହୋଇପଡ଼ିଛି । ଦେବୀ ନଦୀ ମୁହାଣରେ ଜେଟି ନିର୍ମାଣ ବେଳେ ସତର୍କତା ଅବଲମ୍ବନ ସହ ପୁରୀ ଦକ୍ଷିଣରେ ପ୍ରସ୍ତାବିତ ସାମୁକା ବିଚ୍ ରିସୋର୍ଟ ନିର୍ମାଣ ବେଳେ ଜୈବ ବିବିଧତା ସଂରକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ଆକ୍ସନ ପ୍ଲାନରେ ପ୍ରସ୍ତାବ ରହିଛି ।

Spread the love