ପ୍ରଥମ କିଟ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦଯାପିତ, ହାଇଦ୍ରାବାଦର ନାଲସାର ଦଳ ବିଜୟୀ

ଭୁବନେଶ୍ୱର : ପ୍ରଥମ କିଟ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ହାଇଦ୍ରାବାଦର ନାଲସାର ଦଳକୁ ବିଜୟୀ ଘୋଷଣା କରାଯିବା ସହ ୨ ଲକ୍ଷ ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରଯାଇଥିଲା। ସେହିପରି ଶସ୍ତ୍ର ୟୁନିଭରସିଟି ପ୍ରଥମ ରନର୍ସ-ଅପ୍ ଭାବରେ ୧ ଲକ୍ଷ ଟଙ୍କା ଓ ମଣିପାଲ ଲ ସ୍କୁଲ ଦ୍ୱିତୀୟ ରନର୍ସ-ଅପ୍ ହୋଇ ୭୫ ହଜାର ଟଙ୍କାର ପୁରସ୍କାର ହାସଲ କରିଥିଲା

ଏହି ପ୍ରତିଯୋଗିତାରେ ମୁମ୍ବାଇ ସରକାରୀ ଆଇନ ମହାବିଦ୍ୟାଳୟର ହିମାଂଶୁ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ବକ୍ତା ପୁରସ୍କାର, ବାଂଲାଦେଶର ଆମେରିକାନ ଇଣ୍ଟରନ୍ୟାସନାଲ ୟୁନିଭରସିଟିର ମହମ୍ମଦ ଓୟସି ଉଜ୍ଜମାନଙ୍କୁ ଶ୍ରେଷ୍ଠ ଗବେଷକ ପୁରସ୍କାର ଓ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ନାଗପୁରକୁ ଶ୍ରେଷ୍ଠ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ବର୍ଗ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଳ ଗୌଡା ଉଦୀୟମାନ ଓକିଲମାନଙ୍କ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବାରେ କିଟ ଲ ସ୍କୁଲର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, “ଆଇନ ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଟ୍ କୋର୍ଟରେ ଅଂଶଗ୍ରହଣ କରିବା ଏବଂ ଭଲ ଓକିଲ ହେବା ପାଇଁ ଏହା ଏକ ମହାନ ସୁଯୋଗ।”

ଆଜି ସେ କିଟ ଓ କିସର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରି ଜଷ୍ଟିସ୍ ଗୌଡା କହିଲେ କିସରେ ୪୦ ହଜାର ଜନଜାତି ପିଲା ଶିକ୍ଷା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁଛନ୍ତି। ଏହା କେବଳ ଶ୍ରୀ ସାମନ୍ତଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇ ପାରିଛି। ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କ କାର୍ଯ୍ୟକାଳକୁ ମନେ ପକାଇ ରାଜ୍ୟବାସୀଙ୍କଠାରୁ ଭଲ ପାଇବା ପାଇଥିଲେ ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ଜଷ୍ଟିସ୍ ଗୌଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କୁ ସମ୍ବର୍ଦ୍ଦିତ କରିଥିଲେ।

ୱାଡିଆ ଗାନ୍ଧୀର ଅନ୍ୟତମ ପରିଚାଳକ ଆଶିଷ ଆହୁଜା କହିଲେ ମୁଟ୍ କୋର୍ଟ ଆଇନର ବ୍ୟାଖ୍ୟା, ଡ୍ରାଫ୍ଟ ଲେଖିବା ଓ ଉଭୟଙ୍କ ମଧ୍ୟରେ ପାରସ୍ପରିକ କ୍ରିୟାକୁ ବୁଝିବାରେ ସାହାଯ୍ୟ କରିଥାଏ।
ଅନ୍ୟମାନଙ୍କ ମଧ୍ୟରେ କିଟ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, ପ୍ରଫେସର ଏମେରିଟସ୍ ଏନ.ଏଲ. ମିତ୍ର, କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୂଳପତି ଡ ରାଜୁ କେ.ଡି., କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି, କିଟ ଲ ସ୍କୁଲ ନିର୍ଦ୍ଦେଶକ ଡ ରୋଜ୍ ଭାର୍ଗୀସ୍ ପ୍ରମୁଖ ଉପସ୍ଥିତ ଥିଲେ।

Spread the love