ଯୁକ୍ତ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ

ଭୁବନେଶ୍ୱର : ଯୁକ୍ତ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ ହୋଇ ବୈଷୟିକ ଢାଞ୍ଚାରେ ନାମ ଲେଖାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ। ଏଣିକି ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍‌ସେଲିଂ କରିବାକୁ ଗଣଶିକ୍ଷା ବିଭାଗ ସ୍ଥିର କରିଛି। ଏହି କାଉନ୍‌ସେଲିଂ ଲାଗି ସ୍ବତନ୍ତ୍ର କମିଟି ଗଠନ କରାଯିବ। ଏଥିରେ ବିଭିନ୍ନ ଜିଲ୍ଲାର ସରକାରୀ କଲେଜର ବରିଷ୍ଠ ଅଧ୍ୟାପକ, ମନସ୍ତତ୍ତ୍ୱବିତ୍‌ ଓ କାଉନ୍‌ସେଲର ନିୟୋଜିତ ହେବେ।ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିବା ପରେ ପିଲାଙ୍କ କଟ୍‌ଅଫ୍‌ ମାର୍କକୁ ଦେଖି ରାଜ୍ୟର କେଉଁ କଲେଜରେ ପଢ଼ିବାକୁ ଆଶା ରଖିଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି କାଉନସେଲିଂ ଲାଗି ପ୍ରତିଷ୍ଠିତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ।
ସେହିପରି ରାଜ୍ୟରେ ବିଭିନ୍ନ କଲେଜରେ ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫକେଟ୍‌ ମାଧ୍ୟମରେ ନାମଲେଖା ରୋକିବା ପାଇଁ ଅଣ୍ଟା ଭିଡ଼ିଛି ବିଭାଗ। ନାମଲେଖା ସମୟରେ ସବୁ କଲେଜରେ ଏକ ଯାଞ୍ଚ କମିଟି ଗଠନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଧାର ନମ୍ବର ସଂଯୋଗ କରିବାକୁ ମଧ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ଏହାବ୍ୟତୀତ କେଉଁ ଛାତ୍ରୀଛାତ୍ରଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି, ତାହାର ସବିଶେଷ ତଥ୍ୟ ସରକାରଙ୍କ ପାଖରେ ରହିବ ବୋଲି ଜଣାପଡ଼ିଛି।
ବିଭାଗର ସୂଚନାନୁସାରେ, ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଯୁକ୍ତ୨ ନାମଲେଖା ପୂର୍ବରୁ କାଉନ୍‌ସେଲିଂ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ପୂର୍ବରୁ ଓଜେଇଇ, ମେଡିକାଲ ନାମଲେଖାରେ କାଉନ୍‌ସେଲିଂ ବ୍ୟବସ୍ଥା ଥିବାରୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଠିକ ନିଷ୍ପତ୍ତି ନେଇପାରୁଛନ୍ତି। ତେଣୁ ଏହି ବ୍ୟବସ୍ଥାକୁ ଯୁକ୍ତ୨ରେ ବ୍ୟବହାର କରାଗଲେ ପିଲାମାନେ ସେମାନଙ୍କ ଭବିଷ୍ୟତ ପାଠ୍ୟକ୍ରମ, କଲେଜ ଚୟନ ସହ ଶିକ୍ଷା ବ୍ୟବସ୍ଥାକୁ ସହଜରେ ବୁଝିପାରିବେ ବୋଲି ବିଭାଗ ଆଶା ରଖିଛି।
ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖା ସମୟରେ ଅଭିଭାବକଙ୍କ ଭୁଲ୍‌ ନିଷ୍ପତ୍ତି ଏବଂ ପିଲାଙ୍କ ଆଶା ବିରୋଧରେ ନାମଲେଖା ଅନେକ ସମସ୍ୟା ସୃଷ୍ଟି କରିଥାଏ। ସେହିଭଳି ଗତ ୫ବର୍ଷ ହେବ ଅନ୍‌ଲାଇନ୍‌ ନାମଲେଖା ସମୟରେ ବିଭିନ୍ନ ସମସ୍ୟା ଲାଗି ପିଲାମାନେ ଭୁଲ୍‌ ଷ୍ଟ୍ରିମରେ ନାମ ଲେଖାଇଥାନ୍ତି। ଏଥିଲାଗି ପ୍ରାୟ ୧୫ ପ୍ରତିଶତ ପିଲାଙ୍କ ରେଜଲ୍ଟ ପ୍ରଭାବିତ ହୋଇଥାଏ।

Spread the love