ତେଲେଙ୍ଗାନାରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ; ବାୟୁସେନାର ୨ ପାଇଲଟ୍‌ ମୃତ

ଦୁଣ୍ଡିଗଲ୍‌: ଆଜି ସକାଳେ ତେଲେଙ୍ଗାନାର ଦୁଣ୍ଡିଗଲ୍‌ରେ ଥିବା ‘ଏୟାର୍‌ ଫୋର୍ସ ଏକାଡେମି’ ନିକଟରେ ପ୍ରଶିକ୍ଷଣ ଦେବା ସମୟରେ ଗୋଟାଏ ‘ପିଲାଟସ୍‌’ ଟ୍ରେନର୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଭାରତୀୟ ବାୟୁସେନାର ୨ଜଣ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଛି ବୋଲି ବାୟୁସେନା ଅଧିକାରୀମାନେ କହିଛନ୍ତି। ମୃତ ପାଇଲଟ୍‌ଙ୍କ ମଧ୍ୟରୁ ଜଣେ ଥିଲେ ତାଲିମଦାତା ଓ ଅନ୍ୟଜଣକ କ୍ୟାଡେଟ୍‌ ବୋଲି ସେମାନେ କହିଛନ୍ତି। ଭାରତୀୟ ବାୟୁସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ହାଇଦ୍ରାବାଦସ୍ଥିତ ‘ଏୟାର୍‌ ଫୋର୍ସ ଏକାଡେମି’ରୁ ନିୟମିତ ତାଲିମ ଭାବେ ସ୍ବଳ୍ପ ଉଡ଼ାଣରେ ଯିବା ବେଳେ ଗୋଟାଏ ‘ପିଲାଟସ୍‌ ପିସି ୭ ଏମ୍‌କେ ୨’ ବିମାନ ଆଜି ସକାଳ ୮.୫୫ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଥିବା ଦୁଇଜଣ ପାଇଲଟ୍‌ ସାଙ୍ଘାତିକ ଆହତ ହୋଇ ମରିଥିବା କଥା ଗଭୀର ଦୁଃଖର ସହିତ ବାୟୁସେନା ସୁନିଶ୍ଚିତ କରୁଛି। ପାଇଲଟ୍‌ମାନଙ୍କ ମୃତ୍ୟୁ ସମ୍ବାଦରେ ଶୋକବ୍ୟକ୍ତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଏକ୍ସ୍‌’ରେ ଲେଖିଛନ୍ତି: ହାଇଦ୍ରାବାଦ ନିକଟରେ ଘଟିଥିବା ଦୁର୍ଘଟଣା ଯୋଗୁଁ ବ୍ୟଥିତ। ୨ଜଣ ପାଇଲଟ୍‌ ଜୀବନ ହରାଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା।

ମେଦକ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରୋହିଣୀ କହିଛନ୍ତି ଯେ, ତେଲେଙ୍ଗାନାର ମେଦକ ଜିଲ୍ଲା ଅନ୍ତର୍ଗତ ତୂପ୍ରାନ୍‌ ମଣ୍ଡଳ ନିକଟରେ ପ୍ରଶିକ୍ଷଣ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦମକଳବାହିନୀ ନିଆଁ ଲିଭାଇ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଏହି ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଯୋଗୁଁ କ‌ୌଣସି ସାଧାରଣ ଜନତା ମୃତାହତ ହୋଇଥିବା ଅଥବା କିଛି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ। ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ‘କୋର୍ଟ ଅଫ୍‌ ଇନ୍‌କ୍ବାରି’ ଲାଗି ଆଦେଶ ଦିଆଯାଇଛି।

Spread the love