କରୋନାର ମୁକାବିଲା ପାଇଁ ୨ ଦିନିଆ ମକ୍‌ଡ୍ରିଲ

ଭୁବନେଶ୍ବର : ଦେଶ ତଥା ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ଉପ-ପ୍ରଜାତି ଏକ୍ସବିବି.୧.୧୬ ପାଇଁ ସଂକ୍ରମଣ ବଢ଼ୁଥିବା ବିଶେଷଜ୍ଞମାନେ କହୁଛନ୍ତି। ଏ ଦୃଷ୍ଟିରୁ ଆଗକୁ ଦେଶରେ କରୋନାର ଆଉ ଏକ ଲହର ଆସିପାରେ ବୋଲି ଆକଳନ କରାଯାଉଛି। ଏହାକୁ ନଜରରେ ରଖି ଦେଶବ୍ୟାପୀ କୋଭିଡ୍‌ ମୁକାବିଲା ପ୍ରସ୍ତୁତି ପାଇଁ ୨ ଦିନିଆ ମକ୍‌ଡ୍ରିଲ ଆରମ୍ଭ ହୋଇଛି। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ଏହି ମକ୍‌ଡ୍ରିଲ୍‌ରେ ସାମିଲ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ କୋଭିଡ ଚିକିତ୍ସା ନେଇ କେତେ ଶଯ୍ୟା, ଆଇସିୟୁ ଶଯ୍ୟା, ଅକ୍ସିଜେନ, ସହାୟକ ବ୍ୟବସ୍ଥା, ଉପକରଣ, ଔଷଧ ଓ ପିପିଇ କିଟ୍‌ ଆଦି ମହଜୁଦ ରହିଛି ତାହାର ସୂଚନା ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି, କେନ୍ଦ୍ର ସରକାର କୋଭିଡ୍‌କୁ ନେଇ ଯେଉଁ ନିର୍ଦେଶାବଳୀ ଜାରି କରିଛନ୍ତି ତାହାକୁ କଡ଼ାକଡ଼ି ପାଳନ କରିବାକୁ ହେବ। କ୍ୟାପିଟାଲ ହସ୍ପିଟାଲ ଏଥିପାଇଁ ପ୍ରସ୍ତୁତ ରହିଛି। ହସ୍ପିଟାଲର ଡାକ୍ତର, ପାରାମେଡିକ୍ସ ଓ ବିଭାଗୀୟ
ମୁଖ୍ୟମାନେ ଏହି ଡ୍ରିଲ୍‌ରେ ସାମିଲ ହୋଇଛନ୍ତି। ହସ୍ପିଟାଲରେ କିଭଳି କୋଭିଡ ରୋଗୀଙ୍କ ଚିକିତ୍ସା କରାଯିବ ତାହାର ପ୍ରସ୍ତୁତି ଚାଲିଛି। ପୂର୍ବପରି ଟେଷ୍ଟିଂ ଜାରି ରହିଛି। ଆବଶ୍ୟକସ୍ଥଳେ ସଂଖ୍ୟାକୁ ବୃଦ୍ଧି କରାଯିବ। ନିର୍ଦେଶ ଆସିବା ପରେ ପୁଣିଥରେ ଟିକାକରଣ ଆରମ୍ଭ ହେବ ବୋଲି ଡା.ସାହୁ ସୂଚନା ଦେଇଛନ୍ତି। ସେହିପରି ଏସ୍‌ସିବି ମେଡିକାଲ କଲେଜରେ ମଧ୍ୟ ମକ୍‌ଡ୍ରିଲ୍ କରାଯାଇଛି। ହସ୍ପିଟାଲର ଛାତିରୋଗ ବିଶେଷଜ୍ଞଙ୍କୁ କୋଭିଡ ନୋଡାଲ ଅଧିକାରୀଭାବେ ଦାୟିତ୍ବ ଦିଆଯାଇଛି। ଆସନ୍ତାକାଲି ମଧ୍ୟ ଏହି ମକଡ୍ରିଲ୍ ଜାରି ରହିବ।

ଅପରପକ୍ଷରେ ସୋମବାର ଦିନ ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣରେ ୩୮ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ୧୬ଟି ଜିଲ୍ଲାରୁ ୧୪୧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ଚଳିତ ଲହରର ବର୍ତ୍ତମାନସୁଦ୍ଧା ସର୍ବାଧିକ ସଂକ୍ରମଣ। ରାଜ୍ୟରେ ସୋମବାର ଦିନ ୫୦୧୬ କୋଭିଡ ନମୁନା ପରୀକ୍ଷା ‌ହୋଇଥିଲା। ତହିଁରେ ନବରଙ୍ଗପୁର ଜିଲ୍ଲାରୁ ୩୮, ସୁନ୍ଦରଗଡ଼ ୩୫, କଟକ ୧୯, ସମ୍ବଲପୁର ୧୧, ଖୋର୍ଧା ୧୦, ନୂଆପଡ଼ା-କୋରାପୁଟରୁ ୫ ଲେଖାଏ, ବଲାଙ୍ଗୀର-ବୌଦ୍ଧରୁ ୩ ଲେଖାଏ, ଦେବଗଡ଼-ସୋନପୁରର ୨ଲେଖାଏ, ବାଲେଶ୍ବର, ବରଗଡ଼, ଗଜପତି, ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୩୧କୁ ବୃଦ୍ଧି ପାଇଛି। ତହିଁରୁ ୧୨ରୁ ଅଧିକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ ୩୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Spread the love