ଅଳ୍ପକେ ବର୍ତ୍ତିଗଲା ଦୁଇ ମହିଳା, ଦୁଇ ଶିଶୁଙ୍କ ଜୀବନ

ରାୟଗଡ଼ା: ହିମାଚଳପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନସ୍ଥଳୀରେ ନିଜ ଜୀବନକୁ ବାଜି ଲଗାଇ ବରଫରେ ଫସି ରହିଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣି ସାହସିକତାର ପରିଚୟ ଦେଇଛନ୍ତି ଓଡ଼ିଆ ଝିଅ ଆକାଂକ୍ଷା ସାହୁ। ଆକାଂକ୍ଷାଙ୍କ ଉଦ୍ୟମ ଓ ସାହସିକତାକୁ ପର୍ଯ୍ୟଟକଙ୍କ ପରିବାର ପ୍ରଶଂସା କରିବା ସହ ୨ ମହିଳା ଓ ୨ ଛୁଆଙ୍କ ଜୀବନ ବଞ୍ଚାଇଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ରାୟଗଡ଼ା ସହର ରିଂ ରୋଡର ଆକାଂକ୍ଷା ନିଜ ପରିବାର ଲୋକଙ୍କ ସହ ରୋହତାଙ୍ଗପାସ୍ ବୁଲିବାକୁ ଯାଇଥିଲେ। ଗତ ଶୁକ୍ରବାର ସକାଳେ ସଭିଁଏ ରୋହତାଙ୍ଗପାସର ଗ୍ଲାସିୟର୍ ପଏଣ୍ଟରେ ବରଫାଚ୍ଛନ୍ନ ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ଖଣ୍ଡ ଖଣ୍ଡ ବରଫାପାତ ମଧ୍ୟ ହୋଇଥିଲା। ବର୍ଷା ପୂର୍ବରୁ ତାପମାତ୍ରା ୮ ଡିଗ୍ରି ଥିଲା  କିନ୍ତୁ ବର୍ଷା ପରେ ତାପମାତ୍ରା ହ୍ରାସ ପାଇ ମାଇନସ୍ ଡିଗ୍ରୀରେ ପହଞ୍ଚି ଯାଇଥିଲା। ପ୍ରାୟ ୧୫୦ରୁ ଊର୍ଧ୍ବ ପର୍ଯ୍ୟଟକ ଗ୍ଲାସିୟର୍ ପଏଣ୍ଟରେ ଉପସ୍ଥିତ ଥିବା ବେଳେ ପ୍ରତିକୂଳ ପାଗ ପ୍ରଭାବରେ ବରଫ ତରଳିବାରେ ଲାଗିଥିଲା। ପୂରା ପାହାଡ଼ ବରଫାବୃତ ହୋଇ ରହିଥିବାରୁ ବରଫ ତରଳିବା ଆରମ୍ଭ ହେବା ପରେ ପର୍ଯ୍ୟଟକ ଭୟଭୀତ ହୋଇ ପଡିଥିଲେ। କିଛି ସ୍ଥାନରୁ ବଡ ବଡ ବରଫ ଖଣ୍ଡ ଧସି ତଳେ ପଡିବା ପରେ ପର୍ଯ୍ୟଟକମାନେ ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ।ତରବରିଆ ଭାବେ ତଳକୁ ଓହ୍ଲାଉଥିବା ସମୟରେ କିଛି ଖସି ପଡି ଆହତ ହୋଇଛନ୍ତି।ଏହି ସମୟରେ ଏକ ବଡ ବରଫ ଧସିବା ଯୋଗୁ ବହୁ ପର୍ଯ୍ୟଟକ ତଳକୁ କଚାଡ଼ି ହୋଇ ପଡି ଯାଇଥିଲେ। ଆକାଂକ୍ଷା ପରିବାରର ସମସ୍ତ ସଦସ୍ୟ ଅଘଟଣରୁ ବର୍ତ୍ତି ତଳକୁ ଓହ୍ଲାଇ ଆସିବାରେ ସକ୍ଷମ ହୋଇଥିଲେ। ହେଲେ ଆକାଂକ୍ଷାଙ୍କ ଆଖପାଖରେ ଥିବା ରାଜସ୍ଥାନର ଦୁଇ ମହିଳା ପର୍ଯ୍ୟଟକ ସେମାନଙ୍କ ଦୁଇ ଶିଶୁଙ୍କ ସହ ଉପରେ ଫଶି ରହି ଯାଇଥିଲେ। ବରଫ ଖଣ୍ଡ ଧସୁଥିବା କାରଣରୁ ଓହ୍ଲାଇବାକୁ ସାହାସ କରିପାରୁନଥିଲେ। ଫଶିଥିବା ପର୍ଯ୍ୟଟକ ଭୟଭୀତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆକାଂକ୍ଷା ସଂପର୍କୀୟ ଭଉଣୀ ଆୟୁଷ ସାହୁଙ୍କ ସହ ପାହାଡ଼ ଉପରକୁ ସାହାସର ସହ ଚଢ଼ି ଯାଇଥିଲେ।ପ୍ରଥମେ ଦୁଇ ଶିଶୁଙ୍କ ଧରି ଉଭୟେ ତଳକୁ ଓହ୍ଲାଇବା ପରେ ଫଶି ରହିଥିବା ମହିଳା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ। ପ୍ରବଳ ବରଫାପାତ ଓ ଥଣ୍ଡା ଯୋଗୁ ଦୁଇ ଶିଶୁଙ୍କ ମୁହଁ ଫୁଲି ଯାଇଥିଲା। ମହିଳା ପର୍ଯ୍ୟଟକ ଫଶି ରହିଥିବା ସ୍ଥାନରେ ଥଣ୍ଡା ଓ ବରଫ ମାଡ଼ ଯୋଗୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିବା ଉଦ୍ଧାର ପରେ ପ୍ରକାଶ କରିଥିଲେ।

Spread the love